ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରି ଯାଏଁ ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ(ହିଟ୍ୱେଭ୍)ରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ(ସିଭିଅର ହିଟ୍ୱେଭ୍) ଜାରି ରହିବାର ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ପାରଦ ୪୬ ଡିଗ୍ରି ଛୁଇଁପାରେ। ୨୭ ତାରିଖରେ ବାରିପଦା, ବୌଦ୍ଧ ସହରର ପାରଦ ୪୪ ଡିଗ୍ରି ଡେଇଁଯିବାକୁ ଥିବା ବେଳେ ଭୁବନେଶ୍ବର, ଝାରସୁଗୁଡ଼ା, ମାଲକାନଗିରି, ବଲାଙ୍ଗୀର, ଟିଟିଲାଗଡ଼, ନୂଆପଡ଼ା, ଭବାନୀପାଟଣା, ପାରଳାଖେମୁଣ୍ଡିରେ ୪୩ ଡିଗ୍ରି ଉପରେ ରହିବ। ୨୬ ଓ ୨୭ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଖୋର୍ଦ୍ଧା ଜିଲ୍ଲାରେ ହିଟ୍ୱେଭ୍ ସ୍ଥିତି ସୃଷ୍ଟି ହେବାକୁ ଥିବା ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ୨୪ ଓ ୨୫ ତାରିଖରେ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗିରହିବ। ତେବେ ତାପମାତ୍ରା ସେତେଟା ବଢ଼ିବ ନାହିଁ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ନୂଆପଡ଼ା, ଗଜପତି ଜିଲ୍ଲାରେ ହିଟ୍ୱେଭ୍ର ସମ୍ଭାବନା ରହିଛି।ଗତକାଲିଠାରୁ ଆଜି ଭୁବନେଶ୍ବର ସହରର ତାପମାତ୍ରା ସାମାନ୍ୟ ହ୍ରାସ ପାଇ ୪୧.୮ ଡିଗ୍ରିରେ ରହିଛି। କିନ୍ତୁ ଏହା ସ୍ବାଭାବିକ ଠାରୁ ୩.୫ ଡିଗ୍ରି ଅଧିକ ଥିଲା। ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପାରାଦୀପରେ ଆଜି ରେକର୍ଡ ହୋଇଥିବା ୩୮.୮ ଡିଗ୍ରି ସେଠାରେ ଏପ୍ରିଲ ମାସର ଦ୍ୱିତୀୟ ସର୍ବୋଚ୍ଚ ଦିନ ତାପମାତ୍ରା। ଏହା ପୂର୍ବରୁ ୧୯୮୯ ଏପ୍ରିଲ ୮ରେ ୩୮.୨ ଡିଗ୍ରି ରହିଥିଲା। ଆଜି ଦିନରେ ଏହି ସହରର ତାପମାତ୍ରା ସ୍ବାଭାବିକଠାରୁ ୬.୫ ଡିଗ୍ରି ଅଧିକ ଥିଲା। ଏପ୍ରିଲ ମାସର ପାରାଦୀପ ପାଇଁ ସର୍ବୋଚ୍ଚ ଦିନର ତାପମାତ୍ରା ୪୦.୭ ଡିଗ୍ରି ସର୍ବକାଳୀନ ରେକର୍ଡ ବୋଲି ପାଣିପାଗ କେନ୍ଦ୍ର କହିଛି। ଆଜି ରାଜ୍ୟର ୧୮ଟି ସହରର ପାରଦ ୪୦ ଡିଗ୍ରି କିମ୍ବା ଅଧିକ ରହିଥିଲା। ୪୨.୮ ଡିଗ୍ରି ସହ ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଏହାବ୍ୟତୀତ ନୟାଗଡ଼ରେ ୪୨.୨, ବଲାଙ୍ଗୀରରେ ୪୧.୮, ଅନୁଗୁଳରେ ୪୧.୭, ମାଲକାନଗିରିରେ ୪୧.୫, ନୂଆପଡ଼ା ଓ ବାରିପଦାରେ ୪୧.୨, ଟିଟିଲାଗଡ଼ରେ ୪୧ ଡିଗ୍ରି ରେକର୍ଡ ହୋଇଛି।ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ଦକ୍ଷିଣ ଓଡ଼ିଶା(ଉପକୂଳ ଓ ଆଭ୍ୟନ୍ତରୀଣ)ରେ ତିନି ଦିନ ପର୍ଯ୍ୟନ୍ତ ସାମୁଦ୍ରିକ ପବନ ହେତୁ ତାପମାତ୍ରା ଅପେକ୍ଷାକୃତ ବେଶି ବଢ଼ିବ ନାହିଁ। ମାତ୍ର ଉତ୍ତର ଓଡ଼ିଶାରେ ଗରମ କମିବାର ସମ୍ଭାବନା ଦେଖାଯାଉନି। ୨୬ ତାରିଖରେ ବାରିପଦା, ଝାରସୁଗୁଡ଼ା, ରାଉରକେଲା, ବୌଦ୍ଧ, ବଲାଙ୍ଗୀର ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିବାକୁ ଥିବା ବେଳେ ମାସ ଶେଷ ଆଡ଼କୁ ୪୬ ଡିଗ୍ରି ଡେଇଁଯିବ। ୨୮ ତାରିଖରେ ସମ୍ବଲପୁର, ନୂଆପଡ଼ା, ଅନୁଗୁଳ, ତାଳଚେର, ପାରଳାଖେମୁଣ୍ଡି, ରାୟଗଡ଼ା, ଭବାନୀପାଟଣା, ମାଲକାନଗିରିରେ ୪୨ରୁ ୪୪ ଡିଗ୍ରି ରହିବ। ପରବର୍ତ୍ତୀ ଦୁଇ ଦିନରେ ୪୫ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି। ପୁରୀଠାରୁ ସମ୍ବଲପୁର ସଂଯୋଗ କରୁଥିବା ସରଳରେଖାର ଉତ୍ତରରେ ଥିବା ଅଞ୍ଚଳରେ ୨୬ ତାରିଖରୁ, ଗଞ୍ଜାମ ଓ ଗଜପତିରେ ୨୭ରୁ ଗ୍ରୀଷ୍ମ ପ୍ରବାହ ବଢ଼ିବ।
Trending
- ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ
- ହୀରାକୁଦର ୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ
- ବୁଲା କୁକୁରଙ୍କୁ ଆଉ ବଳକା ମାଂସ ଦିଆଯିବନି
- ଏସ୍ଆଇଆର୍ ବିବାଦ : କଟିଥିବା ଭୋଟର ଅଭିଯୋଗ କରୁନାହାଁନ୍ତି
- ମୋଦି କହିଲେ ଜେଲ୍ରୁ କେହି ନିର୍ଦ୍ଦେଶ ଦେଇପାରିବେନି
- ବଦଳିଲେ ୮ ଜିଲ୍ଲା ଏସ୍ପି
- ଇସ୍ରୋର ପ୍ରଥମ ଗଗନଯାନ ପରୀକ୍ଷଣ
- ପ୍ରାର୍ଥିପତ୍ର ଦାଖଲ କଲେ ସୁଦର୍ଶନ ରେଡ୍ଡୀ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥା ହେଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋଁ
- ୩୮୦ ଗଣପତି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ