ଆସନ୍ତା ୪ ଦିନ ଅର୍ଥାତ୍ ମେ’ ୩୧ ମଧ୍ୟରେ ମୌସୁମୀ ଭାରତ ଭୂଖଣ୍ଡରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପୂର୍ବାନୁମାନ କରିଛି। ଏଥିସହ ଚଳିତ ମୌସୁମୀ ଋତୁରେ ସାରା ଦେଶରେ ସ୍ବାଭାବିକ ବର୍ଷା ହେବା ନେଇ ଆକଳନ କରାଯାଇଛି। ଆଇଏମ୍ଡି ପକ୍ଷରୁ କୁହାଯାଇଛି ଯେ ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ବର୍ଷା ସ୍ବାଭାବିକଠାରୁ ତଳେ ରହିବ। ଅର୍ଥାତ୍ ୯୪%ରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ଭାରତରେ ମୌସୁମୀ ସମୟରେ ସ୍ବାଭାବିକ ବର୍ଷା ୯୨%ରୁ ୧୦୮% ହୋଇପାରେ। ତେବେ କେନ୍ଦ୍ରୀୟ ଓ ଦକ୍ଷିଣ ଭାରତରେ ସ୍ବାଭାବିକଠାରୁ ଅଧିକ ବର୍ଷା ଅର୍ଥାତ୍ ୧୦୬%ରୁ ଅଧିକ ବର୍ଷା ହେବ।