ଗରମ ସହ ଗୁଳୁଗୁଳିରେ ଅଧା ଓଡ଼ିଶା ଅସ୍ତବ୍ୟସ୍ତ
କେଉଁଠି ତତଲା ତ ଆଉ କେଉଁଠି କୋହଲା ପାଗ। କେତେକ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ଲଗାତାର ଗୋଟିଏ ସପ୍ତାହ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଏଭଳି ପାଗ ସାଧାରଣ ଲୋକଙ୍କ ଜୀବନଶୈଳୀକୁ ପ୍ରଭାବିତ କଲାଣି। ହଠାତ୍ ଗ୍ରୀଷ୍ମ ପ୍ରବାହ ବଢ଼ିବା ଯୋଗୁଁ ପଶ୍ଚିମ ଓଡ଼ିଶାରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଉପକୂଳରେ ଗରମ ସହ ଗୁଳୁଗୁଳି ଲାଗିରହିଥିବାରୁ ଲୋକେ ଅଣନିଶ୍ବାସୀ ଅନୁଭୂତ କରୁଛନ୍ତି। ଏହାରି ଭିତରେ ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ଲୋକଙ୍କ ଧନଜୀବନ ନଷ୍ଟ ହୋଇଥିବା ଖବର ସାମ୍ନାକୁ ଆସିଛି। ବଦଳୁଥିବା ପାଣିପାଗ ସ୍ଥିତିକୁ ଦେଖି ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆର୍ସି)ଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରାଇବାକୁ କୁହାଯାଇଛି।