କଲବଲ ହେବ ଅଧା ଓଡ଼ିଶା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପାଣିପାଗରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ସର୍ବାଧିକ ତାପମାତ୍ରା ସ୍ଥିର ରହିବ। ତେବେ ପରବର୍ତ୍ତୀ ୪ ଦିନରେ ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୧୮ ତାରିଖ ବେଳକୁ ନୂଆପଡ଼ା ତାପମାତ୍ରା ୪୫ ଡିଗ୍ରି ଛୁଇଁପାରେ। ବଲାଙ୍ଗୀର, ମାଲକାନଗିରି, ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ ଓ ଭବାନୀପାଟଣା ସହରର ତାପମାତ୍ରା ୪୨ ଡିଗ୍ରିରୁ ଅଧିକ ରହିବ। ଏହି ସମୟ ମଧ୍ୟରେ ଉପକୂଳବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିବ ଏବଂ ତାପମାତ୍ରା ୪୦ ଡିଗ୍ରି ଭିତରେ ରହିବ। ତେବେ ୧୯ ତାରିଖରେ ଅଧା ଓଡ଼ିଶା ତାତିରେ ଆଉଟୁପାଉଟୁ ହେବ। ପଶ୍ଚିମ ଓଡ଼ିଶାର ସମସ୍ତ ସହରର ତାପମାତ୍ରା ୪୨ରୁ ୪୫ ଡିଗ୍ରି ମଧ୍ୟରେ ରହିବ। ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ମଧ୍ୟ ତାପମାତ୍ରା ୩୮ରୁ ୪୦ ଡିଗ୍ରି ମଧ୍ୟରେ ପହଞ୍ଚିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।