ଓଡ଼ିଶାକୁ ଛୁଇଁଲା ମୌସୁମୀ

ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆସନ୍ତା ୫ ଦିନ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଜୁନ ୧ରୁ ଅଦ୍ୟାବଧି ରାଜ୍ୟରେ ୮୮.୭ ମିଲିମିଟର ବର୍ଷା ହୋଇଛି। ଏହା ସ୍ୱାଭାବିକ ଠାରୁ ୩୯% କମ୍। ୨୧ ଜିଲ୍ଲାରେ ୫୯% କମ୍‌ ବର୍ଷା ହୋଇଛି। ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ଜଗତସିଂହପୁର ଓ ଢେଙ୍କାନାଳରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ଓ ବଲାଙ୍ଗୀରରେ ନିଅଣ୍ଟିଆ ବର୍ଷା ହୋଇଥିବା‌ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଡ. ସଞ୍ଜୀବ ଦ୍ବିବେଦୀ ସୂଚନା ଦେଇଛନ୍ତି।୨୬ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିବ। ୩ ଦିନ ପାଇଁ ରାଜ୍ୟର କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୋମବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ା ଆଦି ୧୮ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କିମି ବେଗରେ ପବନ ହେବା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମଙ୍ଗଳବାର ଝାରସୁଗୁଡ଼ା, ରାୟଗଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଓ କନ୍ଧମାଳ ପାଇଁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ବୁଧବାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରି ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ବିଶେଷ କରି ବଜ୍ରପାତ ପାଇଁ ସତର୍କ ରହିବାକୁ କୁହାଯାଇଛି।