ଉପରମୁହାଁ ପାରଦ

କାଳବୈଶାଖୀ ପ୍ରଭାବରେ କିଛି ଦିନ ପାଇଁ ଓଡ଼ିଶାବାସୀଙ୍କୁ ତାତିରୁ ଆଶ୍ବସ୍ତି ମିଳିଥିବା ବେଳେ ଏବେ ପଶ୍ଚିମ ଓଡ଼ିଶା ତତଲା ପାଲଟିଲାଣି। ଉପକୂଳ ଓ ଉତ୍ତର ଓଡ଼ିଶାରେ ପାରଦ ୪୦ ଡିଗ୍ରି ତଳେ ରହିଛି। ତେବେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଆସିବ। ଦିନର ସର୍ବୋଚ୍ଚ ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବା ସହ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ଏହି ସମୟରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କା ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ଅଞ୍ଚଳଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରି ଡେଇଁଯିବାର ଆଶଙ୍କା ରହିଛି। ତେଣୁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। କାରଣ ଆଜି ବଲାଙ୍ଗୀର ଓ ଟିଟିଲାଗଡ଼ ତାପମାତ୍ରା ୪୦ ଡିଗ୍ରି ଡେଇଁଗଲାଣି। ଏହି ଦୁଇ ସହର ତତଲା ପାଲଟିଥିଲେ ମଧ୍ୟ ତାହାକୁ ଖାତିର ନ କରି ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ସଭା, ସମିତି, ଶୋଭାଯାତ୍ରା କରିବା ସହ ୪୦ ଡିଗ୍ରି ତାତିରେ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି। ହାତରେ ଆଉ ଚାରି ଦିନ ପ୍ରଚାର ରହିଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ପ୍ରାର୍ଥୀ ଓ କର୍ମୀମାନେ ଆଉଟୁପାଉଟୁ ହେବା ଏକପ୍ରକାର ଥୟ।