ଆକାଶରୁ ଅଗ୍ନି ବର୍ଷା
ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।ସକାଳ ସାଢ଼େ ୮ଟା ବେଳକୁ ଟାଇଁ ଟାଇଁ ଖରା। ଶରୀରରୁ ଗମ୍ଗମ୍ ହୋଇ ଝାଳ ବୋହି ଯାଉଥାଏ। ବାହାରକୁ ବାହାରିବା ତ ଦୂରେ ଥାଉ; ଘର ଭିତରେ ଥାଇ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ୁଥାନ୍ତି ସହରବାସୀ। ସମୟ ଯେତିକି ଗଡ଼ୁଥାଏ ତାତି ସେହି ଅନୁଯାୟୀ ବଢ଼ୁଥାଏ। ପୂର୍ବାହ୍ନ ସାଢ଼େ ୧୧ଟା ବେଳକୁ ପାରଦ ୩୯ ଡିଗ୍ରି ପାର୍ ହୋଇଯାଇଥିଲା। ଚାହୁଁ ଚାହୁଁ ୪୦ ଡିଗ୍ରି ଟପିଗଲା। ଅପରାହ୍ଣ ସାଢ଼େ ୨ଟା ବେଳକୁ ପାରଦ ଚଳିତବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଭୁବନେଶ୍ବର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିବା ସହ ଆଜିର ଦିନରେ ଦେଶର ଦ୍ବିତୀୟ ଉତ୍ତପ୍ତ ସହରରେ ପରିଣତ ହୋଇଗଲା। ଆନ୍ଧ୍ରପ୍ରଦେଶର ନାନ୍ଦ୍ୟାଲରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରି ରେକର୍ଡ ହୋଇଛି।ଆଜି ଏସିଆର ୬ଷ୍ଠ ଉତ୍ତପ୍ତ ସହର ହେଉଛି ଭୁବନେଶ୍ୱର । ୧୦ଟି ଉତ୍ତପ୍ତ ସହର ତାଲିକାରେ ଷଷ୍ଠ ସ୍ଥାନରେ ଭୁବନେଶ୍ୱର ରହିଛି । ଆଜି ରାଜଧାନୀର ତାପମାତ୍ରା ୪୩.୫ ଡିଗ୍ରୀ ରହିଥିଲା । ତେବେ ୪୩.୫ ଡିଗ୍ରୀ ସହ ଏସିଆର ଷଷ୍ଠ ଉତ୍ତପ୍ତ ସ୍ଥାନରେ ରହିଛି ଭୁବନେଶ୍ୱର । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ୧୦ ଉତ୍ତପ୍ତ ସହର ତାଲିକାରେ ଭାରତର ୫ଟି ସହର ସ୍ଥାନ ପାଇଛି । ୪୫.୭ ଡିଗ୍ରୀ ସହ ମିଆଁମାର ବାଉକ୍ ସହର ସର୍ବାଧିକ ଉତ୍ତପ୍ତ ସ୍ଥାନରେ ରହିଛି ।