୬ ତାରିଖରୁ ସାରା ରାଜ୍ୟରେ ବର୍ଷା
ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି। ପ୍ରାୟ ସମସ୍ତ ଜିଲାରେ ବର୍ଷା ହେଉଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେଉଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି। ତେବେ ବଙ୍ଗୋପସାଗରରେ ଏବେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଆସନ୍ତା ୬ ତାରିଖରୁ ସାରା ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ୭ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ଓ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ। ଏଥିସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ସୂଚନା ଥାଉକି, ବର୍ତ୍ତମାନ ବାଲାଂଦେଶ ଓ ତା’ର ଆଖପାଖ ଅଞ୍ଚଳ ଦେଇ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବାୟୁମଣ୍ଡଳରେ ଏକ ଟ୍ରପ୍ ଲାଇନ ବି ରହିଛି । ଏହା ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୮ ତାରିଖ ଯାଏ ଏଭଳି ବର୍ଷା ଲାଗି ରହିବ। ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଦେବଗଡ଼, ଅନୁଗୋଳ ଓ କେନ୍ଦୁଝର ଆଦି ୬ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ୭ ତାରିଖରେ ପ୍ରବଳ ବର୍ଷା ନେଇ ୪ଟି ଜିଲା ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ତେବେ ଅନ୍ୟ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ କରାଯାଇଛି।