ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ଆସନ୍ତା ୨୮ ତାରିଖରୁ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପଶ୍ଚିମ ଓଡ଼ିଶାରେ ପାରଦ ୪୦ ଡିଗ୍ରୀରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ବିଶେଷକରି ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ମାଲକାନଗିରି ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ପ୍ରବଳ ତାତି ଜାରି ରହିବ । ଶନିବାରଠାରୁ ସାରା ରାଜ୍ୟରେ ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ଜାରି ରହିଛି । ଅନ୍ୟପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବାୟୁମଣ୍ଡଳରେ ଶୁଷ୍କତା ପରିମାଣ ବୃଦ୍ଧି ପାଇଛି । ଯାହାର ପ୍ରଭାବରେ ତାତି ବଢିଛି । ଏପରିକି ରାଜ୍ୟର ବହୁ ସହରରେ ତାପମାତ୍ରା ୩୫ରୁ ୩୮ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତିର ପ୍ରଭାବ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଆଭ୍ୟନ୍ତରୀଣ କିମ୍ବା ପଶ୍ଚିମ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପାରଦରେ ବୃଦ୍ଧି ଘଟିବ ।