ଗରମକୁ ବଳିଯାଉଛି ଝାଞ୍ଜିମାଡ଼
ଗତ ତିନି ଦିନ ପରି ଆଜି ମଧ୍ୟ ରାଜ୍ୟର ସମସ୍ତ ସହରରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ବଳିଗଲାଣି ଝାଞ୍ଜି ମାଡ଼। ଶନିବାର ଦେଶର ଉତ୍ତପ୍ତ ସହର ପାଲଟିଥିବା ବାରିପଦାଠାରେ ଆଜି ୪୪.୬ ଡିଗ୍ରି ରେକର୍ଡ ହୋଇଛି, ଯାହାକି ଦେଶରେ ଦ୍ବିତୀୟ ସର୍ବୋଚ୍ଚ ତାପମାତ୍ରା। ଝାଡ଼ଖଣ୍ଡର ବାହାରଗୋଡ଼ାରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରି ରେକର୍ଡ ହୋଇଛି। ଦେଶର ଶୀର୍ଷ ୧୦ ତତଲା ସହର ମଧ୍ୟରେ ଓଡ଼ିଶାର ନୂଆପଡ଼ା, ତାଳଚେର, ଝାରସୁଗୁଡ଼ା, କେନ୍ଦୁଝର ବି ରହିଛି। ରାଜ୍ୟର ୩୦ଟି ସହରର ପାରଦ ଆଜି ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଛି। ସେଥିମଧ୍ୟରୁ ୯ଟି ସହରର ତାପମାତ୍ରା ୪୩ ଡିଗ୍ରି କିମ୍ବା ତା’ଠାରୁ ଅଧିକ ଥିଲା। ନୂଆପଡ଼ାରେ ୪୪ ଡିଗ୍ରି ରହିଥିବା ବେଳେ ତାଳଚେରରେ ୪୩.୮, ଝାରସୁଗୁଡ଼ା ଓ କେନ୍ଦୁଝରରେ ୪୩.୬, ଅନୁଗୁଳରେ ୪୩.୩, ବଲାଙ୍ଗୀରରେ ୪୩.୨, ସୁନ୍ଦରଗଡ଼ ଓ ବୌଦ୍ଧରେ ୪୩ ଡିଗ୍ରି ରହିଥିଲା। ବାରିପଦାରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୬.୧ ଡିଗ୍ରି, କେନ୍ଦୁଝରରେ ୫.୪ ଡିଗ୍ରି, ବାଲେଶ୍ବରରେ ୩.୯ ଡିଗ୍ରି, କଟକରେ ୩.୭ ଡିଗ୍ରି, ଚାନ୍ଦବାଲିରେ ୩.୫ ଡିଗ୍ରି, ଭୁବନେଶ୍ବରରେ ସ୍ବାଭାବିକଠାରୁ ୩.୩ ଡିଗ୍ରି ଅଧିକ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟ ଓ ଉପରିଭାଗର ବାୟୁ ଚଳାଚଳ ଅନୁଯାୟୀ ଆଜିଠାରୁ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶା ତଥା ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଆରମ୍ଭ ହୋଇଛି। ସୋମବାରଠାରୁ ଏହି ବାୟୁ ଚଳାଚଳ ସହ ଜଡ଼ିତ ନିମ୍ନ ଚାପରେଖା ଆହୁରି ପୂର୍ବ ଦିଗରେ ଅଗ୍ରସର ହେବା ସହ କଳାବୈଶାଖୀ ପ୍ରଭାବକୁ ଅଧିକ ପ୍ରଶମିତ କରାଇବାର ସମ୍ଭାବନା ରହିଛି।