ଆକାଶରୁ ନିଆଁ ବର୍ଷା
ସକାଳୁ ସକାଳୁ ଆକାଶରୁ ନିଆଁ ବର୍ଷା ହୋଇଥିଲା। ସାଢ଼େ ୮ଟା ବେଳକୁ ବାରିପଦା ସହରର ପାରଦ ୩୮ ଡିଗ୍ରି ଡେଇଁଯାଇଥିଲା। କେବଳ ବାରିପଦା ନୁହେଁ, ବାଲେଶ୍ବର, ଭୁବନେଶ୍ବର, ତାଳଚେର, କେନ୍ଦୁଝର, କଟକ ସହରରେ ମଧ୍ୟ ସମାନ ଅବସ୍ଥା ଉପୁଜିଥିଲା। ଦିନର ତାପମାତ୍ରା ହୁ ହୁ ହୋଇ ବଢ଼ିବା ସହ ଦେହହାତ ଜାଳି ପକାଇଥିଲା। ତାତିରେ ଆଉଟୁପାଉଟୁ ହେଉଥିଲେ ଲୋକେ। ପୂର୍ବାହ୍ନ ସାଢ଼େ ୧୧ଟା ବେଳକୁ ବାରିପଦା ଓ ବାଲେଶ୍ବରର ପାରଦ ୪୪ ଡିଗ୍ରି ଏବଂ ଭୁବନେଶ୍ବର, ଝାରସୁଗୁଡ଼ା, କଟକରେ ୪୨ ଡିଗ୍ରି ପାର୍ ହୋଇଯାଇଥିଲା। ପ୍ରତି ଘଣ୍ଟାରେ ତାପମାତ୍ରା ଏଭଳି ବଢ଼ିଥିଲା ଯେ ଅପରାହ୍ଣ ସାଢ଼େ ଗୋଟିଏ ବେଳକୁ ସମସ୍ତ ସହରର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।