ଭୁବନେଶ୍ୱର: ୨୦୨୫ର ସ୍ମୃତିକୁ ବିଦାୟ ଦେଇ ଆଜି ଏକ ନୂଆ ଆଶା ଓ ଉଦ୍ଦୀପନା ସହ ଓଡ଼ିଶାବାସୀ ସ୍ୱାଗତ କରିଛନ୍ତି ୨୦୨୬କୁ। ଆଜି ନୂଆ ବର୍ଷର ପ୍ରଥମ ଦିନ ହୋଇଥିବା ବେଳେ ବାରଟି ମଧ୍ୟ ଅତ୍ୟନ୍ତ ଶୁଭ— ପବିତ୍ର ଗୁରୁବାର। ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳୁ କୁହୁଡ଼ିଆ ପାଗ ସହ ଏକ ରୋମାଞ୍ଚକର ପରିବେଶ ଦେଖିବାକୁ ମିଳିଛି। ଝାପ୍ସା କୁହୁଡ଼ି ଭିତରେ ଲୋକେ ପରିବାର ଓ ସାଙ୍ଗସାଥୀଙ୍କ ସହ ପିକନିକ୍ ମନାଇବାକୁ ସହରର ବିଭିନ୍ନ ବଣଭୋଜି ସ୍ଥଳୀରେ ଭିଡ଼ ଜମାଇଛନ୍ତି। ରାଜଧାନୀର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଆଜି ପାଦ ପକାଇବାକୁ ଜାଗା ନାହିଁ। ସକାଳୁ ସକାଳୁ ଲୋକେ ଏଠାରେ ପହଞ୍ଚି ଭୋଜିଭାତର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଡିଜେର ତାଳେ ତାଳେ ଯୁବପିଢ଼ିମାନେ ଝୁମୁଥିବା ବେଳେ ବର୍ଷର ପ୍ରଥମ ଦିନକୁ ବେଶ୍ ଉତ୍ସାହର ସହ ଉପଭୋଗ କରୁଛନ୍ତି। ପ୍ରକୃତିର କୋଳରେ ସମୟ ବିତାଇବା ପାଇଁ ଡେରାସ ଓ ଜୟଦେବ ବାଟିକାରେ ମଧ୍ୟ ହଜାର ହଜାର ଲୋକଙ୍କ ସମାଗମ ହୋଇଛି। କୁହୁଡ଼ିଆ ପାଗରେ ଗରମ ଗରମ ଖାଦ୍ୟ ଓ ସଙ୍ଗୀତର ମଜା ନେଉଛନ୍ତି ପର୍ଯ୍ୟଟକ। ଗତକାଲି ରାତିରେ ଜିରୋ ନାଇଟ୍ ସେଲିବ୍ରେସନରେ ପୁରୁଣା ବର୍ଷକୁ ବିଦାୟ ଦେବା ପରେ ଆଜି ସକାଳୁ ପୁଣି ଉତ୍ସବର ମାହୋଲ ଜାରି ରହିଛି। ଗୁରୁବାର ହୋଇଥିବାରୁ ଅନେକ ଲୋକ ନିରାମିଷ ଭୋଜି କରୁଥିବା ବେଳେ ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ଗୋଟିଏ କାମନା— “୨୦୨୬ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ”। ଭିଡ଼କୁ ଦୃଷ୍ଟିରେ ରଖି ପ୍ରମୁଖ ପିକନିକ୍ ସ୍ପଟ୍ଗୁଡ଼ିକରେ କମିଶନରେଟ୍ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ସହ ମଦ୍ୟପାନ ଓ ଅଶାଳୀନ ଆଚରଣ ରୋକିବା ପାଇଁ ପୋଲିସ ସଜାଗ ରହିଛି।
ସେପଟେ ନୂଆବର୍ଷ ଦିନ ଆମିଷ ବେପାର ମାନ୍ଦା ପଡ଼ିବ ବୋଲି ଆମିଷ ବଜାର ପୂର୍ବପ୍ରସ୍ତୁତି ସାରିଥିଲା। ସକାଳୁ ବିଳମ୍ବିତ ପୂର୍ବାହ୍ନ ପର୍ଯ୍ୟନ୍ତ ଆମିଷ ବଜାରରେ ହାଉଜାଉ ଭିଡ଼ ଦେଖିବାକୁ ମିଳିଥିଲା। ଘରୁ ଘରୁ ଆମିଷର ବାସ୍ନା ଭାସି ଆସୁଥିଲା। ଏଥିସହ ବିଭିନ୍ନ ହୋଟେଲ, କ୍ଲବ୍, ପବ୍, ବାର୍, ରେସ୍ତୋରାଁରେ ଆଜି ନୂଆବର୍ଷର ସ୍ବାଗତ ପାଇଁ ସ୍ବତନ୍ତ୍ର ଡିନର୍ର ଆୟୋଜନ ହୋଇଥିଲା। ସି ଫୁଡ୍ଠାରୁ ଆରମ୍ଭ କରି ଇଣ୍ଡିଆନ୍, ଇଟାଲିୟାନ୍, ଚାଇନିଜ୍ ଓ କୋରିଅନ୍ ଫୁଡ୍ର ଭବ୍ୟ ପସରା ହୋଟେଲ ମେନ୍ୟୁରେ ସାମିଲ ହୋଇଥିଲା।