ଶହୀଦ ମାନଙ୍କୁ ମନେ ପକାଇଲେ ମୋଦୀ

ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୩ ବର୍ଷ। ଏହି ଅବସରରେ ସାରା ଦେଶ ଆଜି ଏହି ଭୟଙ୍କର ଆକ୍ରମଣରେ ଶହୀଦ ହୋଇଥିବା ସେହି ୪୦ ବୀର ସିଆରପିଏଫ୍‌ ଯବାନଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ପ୍ରଧାନମନ୍ତ୍ରୀ ମୋଦୀ ଶହୀଦଙ୍କ ବଳିଦାନକୁ ମନେ ପକାଇଛନ୍ତି। ସେହିପରି କଂଗ୍ରେସ ନେତା ଶଶି ଥରୁର ଶହୀଦଙ୍କୁ ସଲାମ୍‌ ଜଣାଇବା ସହ ଏହି ଅବସରରେ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ନେତା ଶଶି ଥରୁର ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି, ଆମର ପୁଲୱାମା ଶହୀଦମାନେ ପାରମ୍ପାରିକ ଶୋକ-ଶ୍ରଦ୍ଧାଞ୍ଜଳିଠାରୁ ଅଧିକ ଯୋଗ୍ୟ। ଏହି ଆକ୍ରମଣ କାହିଁକି ଓ କେମିତି ହେଲା? ଏହି ବଡ଼ ଭୁଲ୍‌ ପାଇଁ କିଏ ଦାୟୀ? ଏହାର ପୁନରାବୃତ୍ତି ନହେବା ପାଇଁ ଆମେ କ’ଣ ପଦକ୍ଷେପ ନେଉଛୁ? ଶହୀଦଙ୍କ ସ୍ମୃତିରେ ଏହି ପ୍ରଶ୍ନଗୁଡ଼ିକର ବିଚାର ଉପଯୁକ୍ତ ହେବ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟକରି ଶହୀଦ ସିଆରପିଏଫ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କର ସର୍ବୋଚ୍ଚ ବଳିଦାନ ପାଇଁ ଦେଶ ସର୍ବଦା ଋଣୀ ରହିବ ବୋଲି ସେ କହିଛନ୍ତି।