ଜୁନ୍ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି
ରଥଯାତ୍ରା ସମୟରେ ରତ୍ନଭଣ୍ଡାର, ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ମରାମତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ପ୍ରଶାସନ ବୈଷୟିକ କୋର କମିଟିର ସଦସ୍ୟ ଡ ଏନ୍ ସି ପାଲ, ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମେତ ଉନ୍ନୟନ ପ୍ରଶାସକଙ୍କ ଉପସ୍ଥିତରେ ଆଲୋଚନା କରାଯାଇଛି।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ଜୁନ୍ ୨୮ରୁ ଜୁଲାଇ ୬ ତାରିଖ ମଧ୍ୟରେ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି ହେବ। ଏହି ସମୟରେ ବିଶେଷ କରି ବାହାର ରତ୍ନଭଣ୍ଡାର ମରାମତି କରାଯିବ। ଭିତର ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ ହୋଇଯାଇଛି। କେବଳ ଚଟାଣ କାମ ବାକି ଅଛି। ନାଟମଣ୍ଡପ, ଜଗମୋହନ ମରାମତି କାମ ମଧ୍ୟ ଏହି ସମୟରେ କରାଯିବ। ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବାକୁ ଆଲୋଚନା ହୋଇଛି। ଷ୍ଟ୍ରକଚରାଲ୍ ସେଫ୍ଟିକୁ ଗୁରୁତ୍ବ ସହ ଶୀତତାପ ବ୍ୟବସ୍ଥା କରାଯିବ। ଏଥିପାଇଁ ଏଏସ୍ଆଇର ଅନୁମୋଦନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଶ୍ରୀମନ୍ଦିର ଟେକ୍ନିକାଲ କମିଟି, ଏଏସ୍ଆଇ ମିଳିତ ଭାବେ ସବୁ ତଦାରଖ କରିବେ।