ଆଜିଠୁ ନନ୍ଦନକାନନରେ ରୋପ୍-ୱେର ମଜାନେବେ ପର୍ଯ୍ୟଟକ
ବାରଙ୍ଗ: ୧୩ ବର୍ଷ ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବନ୍ଦ ରହିଥିବା ରୋପ୍-ୱେ ସୁବିଧା ଆଜିଠାରୁ ପୁଣି ଆରମ୍ଭ ହୋଇଛି। କାଞ୍ଜିଆ ହ୍ରଦ ଉପରେ ହୋଇଥିବା ଏହି ରୋପ୍ୱେ ଜରିଆରେ ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ଯାଇ ଆସିପାରିବେ। ଏହି ଅତ୍ୟାଧୁନିକୀକରଣ ରୋପ୍-ୱେ ବ୍ୟବସ୍ଥାରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ବିପଦମୁକ୍ତ ଓ ସ୍ୱୟଂଚାଳିତ ପୁଲିରୁ ରୋପ୍ୱେ ଖସିଲେ, ଆପେଆପେ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇ ବନ୍ଦ ହୋଇଯିବ। ଏହା ଘଣ୍ଟାକରେ ୫ଶହରୁ ଅଧିକ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ । ଏହାକୁ ଚଲାଇବାକୁ ନେଇ କୋଲକାତାର ଦାମୋଦର ରୋପ୍ୱେ ଇନଫ ଲିଃ ଠିକା ସଂସ୍ଥାକୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ୨ଟି ଟାୱାର ସହିତ ୬୨୬ ମିଟର ଲମ୍ବରୁ ଅଧିକ ମୋନୋ କେବୁଲ ପଲ୍ସଡ୍ ସହିତ ଏହି ରୋପ୍ୱେ ନିର୍ମାଣ କରାଯାଇଛି। ଏହିପରି ୭୨ ଜଣ ପର୍ଯ୍ୟଟକ ଏକାଥରକେ ଯାତ୍ରା କରିପାରିବେ। ଏହାର ସର୍ବନିମ୍ନ ଦର ୧୨୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଯଦି ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ପଟୁ ରୋପ୍-ୱେରେ ଯାଇ ବଟାନିକାଲ ଗାର୍ଡେନ୍ ବୁଲିବେ, ସେମାନଙ୍କୁ ୨୦ ଟଙ୍କା ଅଧିକ ଅର୍ଥାତ୍ ୧୪୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ଯେଉଁ ପର୍ଯ୍ୟଟକ ବଟାନିକାଲ ଗାର୍ଡେନ୍ ପଟୁ ରୋପ୍ୱେରେ ଆସି ପ୍ରାଣୀ ଉଦ୍ୟାନ ବୁଲିବା ପାଇଁ ଚାହିଁବେ, ସେମାନଙ୍କଠାରୁ ୫୦ ଟଙ୍କା ଅଧିକ ଅର୍ଥାତ୍ ୧୭୦ ଟଙ୍କା ଆଦାୟ ହେବ।