ଅଷ୍ଟ୍ରେଲିଆର ବଣ୍ଡି ବିଚ୍ ଆତଙ୍କବାଦୀ ଆକ୍ରମଣ ,ଆତଙ୍କବାଦୀଙ୍କୁ ରାଇଫଲ ସହ ଜାବୁଡ଼ି ଧରିଲେ ଅହମଦ
ସିଡ୍ନୀ, ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର ପ୍ରସିଦ୍ଧ ବଣ୍ଡି ବିଚ୍ରେ ରବିବାର ସନ୍ଧ୍ୟାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ସମୟରେ ଜଣେ ସାଧାରଣ ନାଗରିକଙ୍କ ଅଦମ୍ୟ ସାହସିକତା ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛି। ଏଠାରେ ଚାଲିଥିବା ଇହୁଦୀମାନଙ୍କ ହନୁକ୍କା ଉତ୍ସବରେ ଦୁଇ ଆତଙ୍କବାଦୀ ପିତା-ପୁତ୍ର ଆଖିବୁଜା ଗୁଳି ଚାଳନା କରି ପ୍ରାୟ ୧୨ରୁ ଅଧିକ ଲୋକଙ୍କ ଜୀବନ ନେଇଥିଲେ, ଯାହା ଉତ୍ସବ ମୁଖର ପରିବେଶକୁ କେଇ ସେକେଣ୍ଡ ମଧ୍ୟରେ ମୃତ୍ୟୁର ତାଣ୍ଡବରେ ପରିଣତ କରି ଦେଇଥିଲା।
ହନୁକ୍କା ଉତ୍ସବ ପାଇଁ ପ୍ରାୟ ହଜାରେ ଲୋକ ଏକତ୍ରିତ ହୋଇଥିବା ବେଳେ ଏହି ଅଚାନକ ଆକ୍ରମଣରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ଲୋକେ କ’ଣ କରିବେ ବୁଝିପାରୁ ନଥିବା ବେଳେ, ହାତରେ ବଡ଼ ବଡ଼ ରାଇଫଲ ଧରିଥିବା ଆତଙ୍କବାଦୀଙ୍କୁ କାବୁ କରିବା କଷ୍ଟକର ଥିଲା।
ଠିକ୍ ଏହି ସମୟରେ ରକ୍ଷକ ସାଜି ପହଞ୍ଚିଥିଲେ ୪୩ ବର୍ଷୀୟ ଫଳ ଦୋକାନୀ ଅହମଦ୍ ଅଲ୍ ଅହମଦ୍। ସେ ନିଜ ଜୀବନକୁ ଖାତିର୍ ନକରି ଆଗକୁ ବଢ଼ିଥିଲେ ଏବଂ ଅତ୍ୟନ୍ତ ସାହସର ସହିତ ଜଣେ ଆତଙ୍କବାଦୀଙ୍କ ଉପରକୁ ଝାମ୍ପି ପଡ଼ିଥିଲେ।
ଭାଇରାଲ ହେଉଥିବା ଏକ ଭିଡିଓ ଅନୁଯାୟୀ, ଅହମଦ୍ ଅଲ୍ ଅହମଦ୍ ସଠିକ୍ ସମୟ ଦେଖି ପାର୍କିଂ କରାଯାଇଥିବା ଗାଡ଼ି ପଛରୁ ଆସି ଜଣେ ଆତଙ୍କବାଦୀଙ୍କୁ ପଛପଟୁ କାବୁ କରିନେଇଥିଲେ। ଗୁଳି ଫୁଟୁଥିବା ସତ୍ତ୍ୱେ ସେ ସଂଘର୍ଷ ଜାରି ରଖିଥିଲେ ଏବଂ କିଛି ସେକେଣ୍ଡର ଲଢ଼େଇ ପରେ ଆତଙ୍କବାଦୀଙ୍କ ହାତରୁ ବନ୍ଧୁକ ଛଡ଼ାଇ ଆଣିବାରେ ସଫଳ ହୋଇଥିଲେ। ବନ୍ଧୁକ ହରାଇବା ପରେ ଆତଙ୍କବାଦୀ ଜଣକ ସେଠାରୁ ପଳାଇ ଯାଇଥିଲା ଏବଂ ଗୁଳି ଚାଳନା ବନ୍ଦ ହୋଇଯାଇଥିଲା।
ଦୁର୍ଭାଗ୍ୟବଶତଃ, ଏହି ସଂଘର୍ଷ ସମୟରେ ଅନ୍ୟ ଜଣେ ଆତଙ୍କବାଦୀର ଗୁଳିରେ ଅହମଦ୍ ଦୁଇ ଥର ଆହତ ହୋଇଥିଲେ। ତାଙ୍କ ଗୋଡ଼ରେ ଗୁଳି ବାଜିଥିଲେ ମଧ୍ୟ ସେ ହସ୍ପିଟାଲ୍ ଯିବା ପୂର୍ବରୁ ଜବତ ହୋଇଥିବା ବନ୍ଧୁକକୁ ସୁରକ୍ଷିତ ଭାବେ ଗୋଟିଏ ଗଛ କଡ଼ରେ ରଖିଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।
ଅହମଦ୍ଙ୍କ ଏହି ସାହସିକ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଜଣେ “ପ୍ରକୃତ ହିରୋ” ଭାବେ ସମ୍ବୋଧନ କରାଯାଉଛି। ତାଙ୍କର ଏହି ନିଷ୍ପତ୍ତି ହିଁ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିଛି ବୋଲି ସ୍ଥାନୀୟ ପ୍ରଶାସନ ସ୍ୱୀକାର କରିଛି।