ଚଳଚଞ୍ଚଳ ହୋଇଛି ଶରଧାବାଲି

ପୁରୀ: ଶରଧାବାଲିରେ ତିନିଟି ଯାକ ରଥ ପହଞ୍ଚିବା ପରେ ଶ୍ରୀଗୁଣ୍ଡିଚା ମନ୍ଦିରମୁହାଁ ହୋଇଛନ୍ତି ଭକ୍ତ। ଚଳଚଞ୍ଚଳ ହୋଇଛି ଶରଧାବାଲି। ମେଡିକାଲ୍‌ ଛକରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲାଗିଛି ହଜାର ହଜାର ଭକ୍ତଙ୍କ ଗହଳି। ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପାଇଁ ରଥ ଚାରିପାର୍ଶ୍ବରେ ବି ଭକ୍ତଙ୍କ ଗହଳିଚହଳି ଲାଗି ରହିଛି। ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଭିଡ଼ ଲାଗି ରହିଥିବାବେଳେ ଭକ୍ତମାନେ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ମନଖୋଲା ଦର୍ଶନ କରିଛନ୍ତି। ଭାବବିନୋଦିଆ କାଳିଆର ଭାବରେ ବୁଡ଼ି ଭାବବିହ୍ବଳ ହୋଇଛନ୍ତି। ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀମୁଖ ଦର୍ଶନ ସହ ଆଖିରେ ଆଖି ମିଶାଇବା ପାଇଁ ଭକ୍ତଙ୍କ ମଧ୍ୟରେ ଯେଭଳି ପ୍ରତିଯୋଗିତା ଲାଗିଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମେଡିକାଲ୍‌ ଛକରୁ ଗାଡ଼ିମୋଟର ଚଳାଚଳରେ କଟକଣା ଲଗାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ବୀରହରେକୃଷ୍ଣପୁର ଛକ, ମାଳତୀପାଟପୁର ଛକ, ମଙ୍ଗଳାଘାଟ ଛକ ଆଦି ସ୍ଥାନରେ ବ୍ୟାରିକେଡ୍ କରି ପୁଲିସ ଯାନବାହନ ନିୟନ୍ତ୍ରଣ କରୁଛି।