ମହାରାଷ୍ଟ୍ରର ରାଜ୍ୟପାଳ ଥିବା ସିପି ରାଧାକୃଷ୍ଣନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ
ମହାରାଷ୍ଟ୍ରର ରାଜ୍ୟପାଳ ଥିବା ଚନ୍ଦ୍ରପୁରମ ପନ୍ନୁସାମି ରାଧାକୃଷ୍ଣନଙ୍କୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ( ଏନଡିଏ) ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେପିର ସଂସଦୀୟ ଦଳ ବୈଠକରେ ଶ୍ରୀ ରାଧାକୃଷ୍ଣନଙ୍କ ନାମରେ ସହମତି ହୋଇଥିଲା । ବୈଠକ ପରେ ଏ ସଂପର୍କରେ ବିଜେପି ସଭାପତି ଜେପି ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ତାମିଲନାଡୁ ନିବାସୀ ରାଧାକୃଷ୍ଣନ ପୂର୍ବରୁ ଝାଡ଼ଖଣ୍ଡ, ପୁଡୁଚେରୀ, ତେଲେଙ୍ଗାନା ପରି ରାଜ୍ୟର ରାଜ୍ୟପାଳ ରହିଥିଲେ। ରାଧାକୃଷ୍ଣନ ତାମିଲନାଡୁର ତିରୁପ୍ପୁରରେ ୧୯୫୭ ଅକ୍ଟୋବର ୨୦ରେ ଜନ୍ମଗ୍ରହଣ କରିଥିଲେ। ରାଧାକୃଷ୍ଣନ ବିଜେପିର ଜଣେ ବରିଷ୍ଠ ନେତା। ସେ ନିଜର ରାଜନୈତିକ ଜୀବନ ଆରଏସଏସ ଏବଂ ଜନସଂଘରୁ ଆରମ୍ଭ କରିଥିଲେ। ସେ ୧୯୯୮ ଏବଂ ୧୯୯୯ରେ କୋଏମ୍ବାଟୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ତାମିଲନାଡ଼ୁ ରାଜ୍ୟ ବିଜେପି ସଭାପତି ଥିଲେ।
ସିପି ରାଧାକୃଷ୍ଣନ ୨୦୨୩ ଫେବୃଆରୀରୁ ୨୦୨୪ ଜୁଲାଇ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ଉପରାଜ୍ୟପାଳ ଥିଲେ। ସେହିପରି ୨୦୨୪ ମାର୍ଚ୍ଚରୁ ଜୁଲାଇ ଯାଏ ତେଲେଙ୍ଗାନାର ଅତିରିକ୍ତ ପ୍ରଭାର ଏବଂ ୨୦୨୪ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ପୁଡୁଚେରୀର ଉପରାଜ୍ୟପାଳର ଅତିରିକ୍ତ କାର୍ଯ୍ୟଭାର ସମ୍ଭାଳିଥିଲେ। ୨୦୨୪ ଜୁଲାଇ ୩୧ରୁ ମହାରାଷ୍ଟ୍ରର ରାଜ୍ୟପାଳ ପଦରେ ସେ ଆସୀନ ଅଛନ୍ତି।
ସିପି ରାଧାକୃଷ୍ଣନ ଦୁଇ ଥର ପୂର୍ବତନ ଲୋକସଭା ସାଂସଦ। ସେ ଆରଏସଏସର ସଦସ୍ୟ ମଧ୍ୟ। ରାଧାକୃଷ୍ଣନ ୧୯୯୮ ଏବଂ ୧୯୯୯ ଲୋକସଭା ନିର୍ବାଚନରେ ବିଜେପି ଟିକେଟ୍ ମଇଦାନକୁ ଓହ୍ଲାଇଥିଲେ। ୧୯୯୮ ନିର୍ବାଚନରେ ଦେଢ ଲକ୍ଷରୁ ଅଧିକ ଏବଂ ୧୯୯୯ ନିର୍ବାଚନରେ ୫୫ ହଜାରରୁ ଅଧିକ ବ୍ୟବଧାନରେ ନିର୍ବାଚନ ଜିତିଥିଲେ। ଏହା ବ୍ୟତୀତ ସେ ତାମିଲନାଡ଼ୁ ବିଜେପି ଅଧ୍ୟକ୍ଷ ବି ରହି ସାରିଛନ୍ତି। ୨୦୨୦-୨୦୨୨ ପର୍ଯ୍ୟନ୍ତ କେରଳରେ ବିଜେପିର ପ୍ରଭାରୀ ଭାବେ କାମ କରିଥିଲେ।
ନଡ୍ଡା ଆହୁରି ମଧ୍ୟ କହିଥିଲେ ଯେ ଶ୍ରୀ ରାଧାକୃଷ୍ଣନଙ୍କ ନାମରେ ସବୁ ଦଳଙ୍କ ମଧ୍ୟରେ ସହମତି ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି, ଯେପରିକି ସେ ନିର୍ବିରୋଧ ନିର୍ବାଚିତ ହୋଇପାରିବେ । ଏଥିଲାଗି ବିରୋଧୀ ଦଳ ନେତାମାନଙ୍କ ସହ ସଂପର୍କ କରାଯାଉଛି । ଏନଡିଏ ମେଣ୍ଟ ମଧ୍ଯରେ ଶ୍ରୀ ରାଧାକୃଷ୍ଣନଙ୍କ ନାମକୁ ନେଇ ସହମତି ରହିଥିବା ସେ କହିଥିଲେ ।
ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରାଧାକୃଷ୍ଣନ ଗତ ବର୍ଷ ଜୁଲାଇ ୩୧ ତାରିଖରେ ମହାରାଷ୍ଟ୍ରର ରାଜ୍ୟପାଳଭାବେ ଶପଥ ନେଇଥିଲେ। ତାପୂର୍ବରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ । ସେ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ସଭାପତି ଥିଲେ । ବିଜେପିକୁ ଆସିବା ପୂର୍ବରୁ ସେ ଆରଏସଏସର ଜଣେ ପ୍ରଚାରକ ଥିଲେ ।