ବସ୍ ଧର୍ମଘଟ ପ୍ରତ୍ୟାହୃତ
ଭୁବନେଶ୍ବର:ବସ ଧର୍ମଘଟ ପ୍ରତ୍ୟାହୃତ । ଅଲ ଓଡିଶା ଘରୋଇ ବସ ସଂଘ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି । ଡିସେମ୍ବର ୧ତାରିଖରେ ହେବାକୁ ଥିବା ବସ୍ ଧର୍ମଘଟକୁ ରାଜ୍ୟ ବସ୍ ମାଲିକ ସଂଘ ପ୍ରତ୍ୟାହାର କରିଛି। ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ବସିଥିବା ବୈଠକ ପରେ ସଂଘ ଏହି ନିଷ୍ପତ୍ତି ନେଇଛି।ମୋ ବସ୍ କେବଳ ସହରାଞ୍ଚଳରେ ଚାଲିବାକୁ ଥିବାବେଳେ ଏହା ସହରାଞ୍ଚଳ ବାହାରେ ଚାଲୁଥିବାରୁ ଏହାକୁ ବନ୍ଦ କରିବାକୁ ସଂଘ ଦାବି କରିଥିଲା। ଏନେଇ ୭ଦିନ ମଧ୍ୟରେ ସମୀକ୍ଷା କରି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ମୋ ବସ୍ ରୁଟ୍ର ସମୀକ୍ଷା ପାଇଁ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥଇଭାଥନନ୍ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ ପରିବହନ ମନ୍ତ୍ରୀଙ୍କ ସହ ସଂଘର ବିଭିନ୍ନ ଦାବି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟତଃ ଲକ୍ଷ୍ମୀ ଯୋଜନା ଏବଂ ସହରାଞ୍ଚଳ ବାହାରେ ‘ମୋ ବସ୍’ ଚଳାଚଳ ନେଇ ଆଲୋଚନା ହୋଇଥିଲା। ସଂଘ ପକ୍ଷରୁ କୁହାଯାଇଥିଲା ଯେ ଲକ୍ଷ୍ମୀ ବସ୍ ଚଳାଚଳ କରୁଥିବାରୁ ଘରୋଇ ବସ୍ଗୁଡ଼ିକର ଆର୍ଥିକ କ୍ଷତି ହେଉଛି। ଏହାକୁ ରାଜ୍ୟ ସରକାର ଭରଣା କରନ୍ତୁ। ଏନେଇ ଖୁବ୍ଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯିବ ବୋଲି ପରିବହନ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସଂଘ କହିଛି।