ଭୁବନେଶ୍ବର ଲୋକସଭା ଆସନରେ କିଏ ଜିତିବ?
ଭୁବନେଶ୍ବର ଲୋକସଭା ଆସନରେ ଜିିତିବ କିଏ? ଏହା ହେଉଛି ସବୁଠୁ ବଡ଼ ପ୍ରଶ୍ନ । ଏହାର ଜବାବ ଭୋଟର ଦେବେ । ତେବେ ଏଠି ଫାଇଟ୍ ହେବ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ବିଜେପି ପ୍ରାର୍ଥୀ ତଥା ଗତଥରର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ । ଗତ ୫ ବର୍ଷରେ ସଂସଦରେ ଭୁବନେଶ୍ବରର ବିଭିନ୍ନ ପ୍ରସଙ୍ଗ ଉଠାଇ ଲୋକଙ୍କ ମନରେ ଅଛନ୍ତି ଅପରାଜିତା । ମନ୍ମଥ କିନ୍ତୁ ନୂଆ ଚେହେରା । କେମିତି ହେବ ଲୋକସଭା ଫାଇଟ ? କାହା ପଲ୍ଲା ଭାରି ? କିଏ ଆଗରେ କିଏ ପଛରେ ? ଭୁବନେଶ୍ବର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଆକ୍ଟିଭ ମୋଡକୁ ଆସିଥିଲେ ମନ୍ମଥ । ସଭା ସମିତି ରୋଡ ସୋ’ କରୁଛନ୍ତି । କିନ୍ତୁ ଅପରାଜିତା ଗତ ୫ ବର୍ଷ ଧରି ନିର୍ବାଚନ ମଣ୍ଡଳୀ ବୁଲୁଛନ୍ତି । ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ବିଜୁ ଜନତା ଦଳର ନେତାଙ୍କ ସଂଗଠନ ଅଛି ଏବଂ ବ୍ରାଣ୍ଡ ନବୀନ ଏବଂ ଶଙ୍ଖ ଚିହ୍ନ ଅଛି । ୫ ବର୍ଷ ଭିତରେ ଅପରାଜିତା ତାଙ୍କ ବ୍ୟକ୍ତିତ୍ବରେ ଅନେକ ପରିବର୍ତ୍ତନ ଆଣିଛନ୍ତି ତଥା ରଙ୍ଗ ବୋଳିଛନ୍ତି । ଜଣେ ପୂର୍ବତନ ବ୍ୟୁରୋକ୍ରାଟରୁ ଲ’ ମେକର ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । କିନ୍ତୁ ମନ୍ମଥଙ୍କ ପରିଚୟ ହେଲା ସେ ସୁର ରାଉତରାୟଙ୍କ ପୁଅ । ତାଙ୍କ ସହିତ ବିଜେଡିର ସଂଗଠନ, ବ୍ରାଣ୍ଡ ନବୀନ ଏବଂ ଶଙ୍ଖ ଚିହ୍ନ ଅଛି । ଏହାକୁ ପାଥେୟ କରି ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ମନ୍ମଥ । ଦୁଇଜଣଙ୍କ ଭିତରେ ଅପରାଜିକାଙ୍କ ଜିତିବାର ସମ୍ଭାବନା ଅଧିକ ରହୁଛି । କିନ୍ତୁ ନିର୍ବାଚନରେ କିଛି କହିହେବ ନାହିଁ ।
୨୦୧୯ ଲୋକସଭା ନିର୍ବାଚନରେ ଅପରାଜିତା ଷଡଙ୍ଗୀ ପ୍ରଥମ ଥର ପାଇଁ ବିଜେପିରୁ ଭୁବନେଶ୍ବର ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ ଏବଂ ଅରୂପ ପଟ୍ଟନାୟକଙ୍କୁ ହରାଇ ବିଜୟ ଲାଭ କରିଥିଲେ । ଅପରାଜିତା ଷଡଙ୍ଗୀ ୪,୮୬,୯୯୧ ଖଣ୍ଡ ଭୋଟ ପାଇଥିଲେ । ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ମିଳିଥିଲା ୪,୬୩,୧୫୨ ଖଣ୍ଡ ଭୋଟ । ଅପରାଜିତାଙ୍କ ଭୋଟ ପ୍ରତିଶତ ଥିଲା ୪୮.୪୫ ଏବଂ ଅରୂପଙ୍କ ଭୋଟ ପ୍ରତିଶତ ଥିଲା ୪୬.୦୭ । ୨୦୦୯, ୨୦୧୪ରେ ଏଠାରୁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ବିଜୟୀ ହୋଇଥିଲେ ।