Uncategorized ଖୁବ୍ ଶୀଘ୍ର ଚାଲୁ ହେବ ନାଗପୁର-ମୁମ୍ବାଇ ବୁଲେଟ୍ ଟ୍ରେନ୍ Last updated Feb 14, 2022 ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ମୁମ୍ବାଇ ଓ ନାଗପୁର ମଧ୍ୟରେ ଖୁବ୍ ଶୀଘ୍ର ଭାରତୀୟ ରେଳବାଇ ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ କରିବ। ସାଧାରଣ ଟ୍ରେନ୍ରେ ସମ୍ପ୍ରତି ମୁମ୍ବାଇରୁ ନାଗପୁର ଯାତାୟାତ ପାଇଁ ୧୨ ଘଣ୍ଟା ଲାଗୁଥିବା ବେଳେ ବୁଲେଟ୍ ଟ୍ରେନ୍ରେ ଲାଗିବ ମାତ୍ର ୩.୫ ଘଣ୍ଟା। ଘଣ୍ଟାପ୍ରତି ସର୍ବାଧିକ ୩୫୦ କିଲୋମିଟର୍ ବେଗରେ ଏହି ଟ୍ରେନ୍ ଚଳାଚଳ କରିବ ବୋଲି ଆଶା କରାଯାଉଛି। ଶନିବାର ଦିନ କେନ୍ଦ୍ର ମନ୍ତ୍ରୀ ରାଓସାହେବ ଦନ୍ୱେ ଗଣମାଧ୍ୟମକୁ କହିଛନ୍ତି ଯେ, ସାଧାରଣରେ ‘ବୁଲେଟ୍ ଟ୍ରେନ୍’ ଭାବେ ଜଣାଶୁଣା ପ୍ରସ୍ତାବିତ ‘ମୁମ୍ବାଇ-ନାଗପୁର ହାଇସ୍ପିଡ୍ ରେଲ୍ କରିଡର୍’ ପାଇଁ ‘ଡିଟେଲ୍ଡ୍ ପ୍ରୋଜେକ୍ଟ୍ ରିପୋର୍ଟ’ ଚଳିତ ମାସ ଶେଷ କିଂବା ମାର୍ଚ ମାସ ପ୍ରଥମ ସପ୍ତାହରେ ଶେଷ ହେବ। ଏହା ହେଉଛି ଭାରତୀୟ ରେଳବାଇ ଯୋଜନା କରିଥିବା ୭ଟି ‘ହାଇସ୍ପିଡ୍ ରେଲ୍ କରିଡର୍’ ମଧ୍ୟରେ ଅନ୍ୟତମ। ଏହି ବୁଲେଟ୍ ଟ୍ରେନ୍ ୧୦ଟି ଜିଲ୍ଲା ଦେଇ ଗମନାଗମନ କରିବ। ଏହି ପ୍ରକଳ୍ପ ପାଇଁ ସର୍ବନିମ୍ନ ୧ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି, ୧.୧ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱ ମୂଲ୍ୟର ୫୦୮ କିଲୋମିଟର୍ ବ୍ୟାପ୍ତ ମୁମ୍ବାଇ-ଅହମଦାବାଦ ‘ବୁଲେଟ୍ ଟ୍ରେନ୍ କରିଡର୍’ କାର୍ଯ୍ୟ ଦ୍ରୁତ ବେଗରେ ଆଗେଇ ଚାଲିଛି। Share