ରୁଷିଆର ନାଟୋ ପ୍ରତି ଏତେ ଘୃଣା କାହିଁକି ? ଜଣାନ୍ତୁ ଏହାର ରହସ୍ୟ

russias-hatred-of-nato-a-story

ମେଟ୍ରୋ ଟିଭି ଓଡିଶା (୨୪.୨.୨୦୨୨) :

ଗତକାଲି ଠାରୁ ରୁଷିଆ ୟୁକ୍ରେନ୍ ଯୁଦ୍ଧରେ ଆରମ୍ଭ ହୋଇଯାଇଛି । ୟୁକ୍ରେନ୍‌ର ଦୁଇ ବିଚ୍ଛିନ୍ନାଞ୍ଚଳ ଡୋନେସ୍କ ଓ ଲହାଂସ୍କକୁ ସ୍ଵାଧୀନ ରାଷ୍ଟ୍ର ଭାବେ ସ୍ୱୀକୃତି ଦେବା ପରେ ସୋମବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଅଞ୍ଚଳକୁ ସେନା ପ୍ରେରଣ କରିଛନ୍ତି। ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ (ନାଟୋ) ରୁଷିଆ-ୟୁକ୍ରେନ୍ ସଂକଟର ମୂଳ କାରଣ ବୋଲି ବିଶ୍ୱାସ କରାଯାଉଛି। ନାଟୋର ଜନ୍ମ ହୋଇଥିଲା ୧୯୪୯ ମସିହାରେ। ୟୁକ୍ରେନ୍ ଚାହୁଁଛି ନାଟୋର ସଦସ୍ୟ ହେବା ପାଇଁ ଯାହାକୁ ରୁଷିଆ ବିରୋଧ କରୁଛି। ରୁଷିଆ ଡରୁଛି, ଯଦି ୟୁକ୍ରେନ୍ ନାଟୋ ସହ ଯୋଗ ଦିଏ, ତେବେ ନାଟୋ ସେନା ଏହାର ସୀମାକୁ ଚାଲିଆସିବେ। କିନ୍ତୁ ରୁଷିଆ ନାଟୋକୁ ଏତେ ଘୃଣା କରିବାର କାରଣ କ’ଣ? ନାଟୋ କ’ଣ ସେ ବିଷୟରେ ପ୍ରଥମେ ଆମକୁ ବୁଝିବାକୁ ହେବ। ୧୯୩୯ରୁ ୧୯୪୫ ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅନୁଷ୍ଠିତ ହୋଇଥିଲା।

ଏହାପରେ ସୋଭିଏତ୍ ସଂଘ ପୂର୍ବ ୟୁରୋପରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହୋଇ ନ ଥିଲା। ୧୯୪୮ରେ ଏହା ବର୍ଲିନକୁ ଘେରାଉ କରିଥିଲା। ଏହାପରେ ନାଟୋ ଜରିଆରେ ଆମେରିକା ଚାହିଁଲା ସୋଭିଏତ୍ ସଂଘର ବିସ୍ତାରବାଦକୁ ପ୍ରତିହତ କରିବାକୁ। ଯେତେବେଳେ ନାଟୋ ଗଠିତ ହେଲା ସେତେବେଳେ ୧୨ଟି ଦେଶ ଏହାର ସଦସ୍ୟ ଥିଲେ। ଆମେରିକା ଛଡ଼ା ଏହାର ଅନ୍ୟ ଅଂଶୀଦାର ଦେଶଗୁଡ଼ିକ ହେଉଛନ୍ତି ବ୍ରିଟେନ, ଫ୍ରାନ୍ସ, କାନାଡ଼ା, ଇଟାଲି, ନେଦରଲାଣ୍ଡ, ଆଇସଲାଣ୍ଡ, ବେଲଜିୟମ, ଲକ୍ଷେମବର୍ଗ, ନରୱେ, ପର୍ତ୍ତୁଗାଲ ଓ ଡେନମାର୍କ। ବର୍ତ୍ତମାନ ମୋଟ ୩୦ଟି ଦେଶ ନାଟୋର ସଦସ୍ୟଭୁକ୍ତ ହୋଇଛନ୍ତି। ସମାନ ସାମରିକ ନୀତି ଉପରେ କାମ କରିବା ପାଇଁ ନାଟୋ ସଦସ୍ୟଭୁକ୍ତ ଦେଶଗୁଡ଼ିକ ବାଧ୍ୟ। ଯଦି ଗୋଟିଏ ନାଟୋ ଦେଶ ଉପରେ କେହି ଆକ୍ରମଣ କରେ, ତେବେ ସମସ୍ତ ନାଟୋ ଦେଶ ଉପରେ ଆକ୍ରମଣ କରାଗଲା ବୋଲି ବିବେଚନା କରାଯାଏ। ତେଣୁ ଏହି ଆକ୍ରମଣ ବିରୋଧରେ ସମସ୍ତ ନାଟୋ ଦେଶ ଏକଜୁଟ ହୋଇ ପ୍ରତିଆକ୍ରମଣ କରିଥାନ୍ତି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମସଗ୍ର ବିଶ୍ୱ ଦୁଇଟି ଶିବିରରେ ବିଭକ୍ତ ହୋଇଗଲା। ଆମେରିକା ଓ ସୋଭିଏତ୍ ସଂଘ ଦୁଇଟି ସୁପରପାୱାରରେ ପରିଗଣିତ ହେଲେ। ୧୯୯୧ ଡିସେମ୍ବର ୨୫ରେ ସୋଭିଏତ୍ ସଂଘ ଭାଙ୍ଗି ୧୫ଟି ନୂଆ ଦେଶ ସୃଷ୍ଟି ହେଲା। ସେଗୁଡ଼ିକ ହେଉଛି: ଆର୍ମେନିଆ, ଆଜରବୈଜାନ, ବେଲାରୁସ, ଏଷ୍ଟୋନିଆ, ଜର୍ଜିଆ, କାଜାଖସ୍ତାନ, କିରଗିଜସ୍ତାନ, ଲାଟିଭିଆ, ଲିଥୁଆନିଆ, ମୋଲଡୋଭା, ରୁଷିଆ, ତାଜିକିସ୍ତାନ, ତୁର୍କମେନିସ୍ତାନ, ୟୁକ୍ରେନ୍ ଓ ଉଜବେକିସ୍ତାନ। ଏହାପରେ ଆମେରିକା ଏକମାତ୍ର ସୁପରପାୱାର ହୋଇ ରହିଲା। ଆମେରିକା ନେତୃତ୍ୱରେ ନାଟୋର ସମ୍ପ୍ରସାରଣ ଜାରି ରହିଲା। ଯେଉଁ ଦେଶଗୁଡ଼ିକ ସୋଭିଏତ୍ ସଂଘର ବିଭାଜନରୁ ସୃଷ୍ଟି ହେଲେ ସେମାନେ ଗୋଟିକ ପରେ ଗୋଟିଏ ନାଟୋରେ ଯୋଗ ଦେବାକୁ ଲାଗିଲେ। ଏଷ୍ଟୋନିଆ, ଲାଟଭିଆ ଓ ଲିଥୁଆନିଆ ୨୦୦୪ରେ ନାଟୋରେ ଯୋଗଦେଲେ। ଜର୍ଜିଆ ଓ ୟୁକ୍ରେନ୍‌କୁ ୨୦୦୮ରେ ନାଟୋର ସଦସ୍ୟତା ଯଚାଗଲା। କିନ୍ତୁ ସେମାନେ ନାଟୋର ସାମରିକ ମେଣ୍ଟଭୁକ୍ତ ହୋଇପାରିଲେ ନାହିଁ।

ନାଟୋର ଏ ପ୍ରକାର ସମ୍ପ୍ରସାରଣକୁ ପୁଟିନ ବିରୋଧ କଲେ। ସେ କହିଲେ, ଆମେରିକା ଆମ ଦୁଆରମୁହଁରେ ଆସି କ୍ଷେପଣାସ୍ତ୍ର ଖଞ୍ଜିଲାଣି। ଯଦି କାନାଡ଼ା ବା ମେକ୍ସିକୋ ସୀମାରେ କ୍ଷେପଣାସ୍ତ୍ର ମୁତୟନ କରାଯାଏ, ତେବେ ଆମେରିକାକୁ କେମିତି ଲାଗିବ? ଏ କଥା ୨୦୨୧ ଡିସେମ୍ବରରେ ପୁଟିନ ପଚାରିଥିଲେ। ଯଦି ୟୁକ୍ରେନ୍ ନାଟୋର ସଦସ୍ୟ ହୋଇଯାଏ, ତେବେ ରୁଷିଆ ସମ୍ପୂର୍ଣ୍ଣ ଘେରାଉ ଭିତରେ ରହିବ, ଯାହା ପୁଟିନଙ୍କ ପାଇଁ କେବେ ବି ଗ୍ରହଣୀୟ ନୁହେଁ। ସେଥିପାଇଁ ରୁଷିଆ ଚାହୁଁଛି, ନାଟୋ ପୂର୍ବ ଆଡ଼କୁ ଆଉ ସମ୍ପ୍ରସାରଣ ନ କରୁ। ୟୁକ୍ରେନ୍ ପରି ଦେଶକୁ ଲୋଭ ଦେଖାଇ ନିଜର ସଦସ୍ୟ ନ କରୁ। ରୁଷିଆ ଚାହୁଁଛି ନାଟୋ ୧୯୯୭ ପୂର୍ବରୁ ଯାହା ଥିଲା ସେହି ଅବସ୍ଥାକୁ ଫେରିଯାଉ।