ୟୁପିଆଇରେ ବିଭ୍ରାଟ!

ୟୁପିଆଇ ରେ ବଡ଼ ଧରଣର ବିଭ୍ରାଟ ଦେଖିବାକୁ ମିଳିଥିଲା। ଫେନ୍‌ପେ, ଗୁଗୁଲ୍‌ପେ ଆଦି ଜରିଆରେ ପେମେଣ୍ଟ କରୁଥିବା ଲୋକମାନେ ଅସୁବିଧା ଭୋଗିଛନ୍ତି। ସେମାନଙ୍କ ପେମେଣ୍ଟ ଉଦ୍ୟମ ବିଫଳ ହୋଇଛି। ଏ ବିଷୟରେ ବହୁ ଲୋକ ସାମାଜିକ ଗଣମାଧ୍ୟମରେ ସୂଚନା ଦେବା ସହ ନିଜର ଅସନ୍ତୋଷ ଜାହିର କରିଛନ୍ତି। ପ୍ରାୟ ୩-୪ ଘଣ୍ଟା ଧରି ୟୁପିଆଇ କାମ କରି ନଥିବା ସେମାନେ କହିଛନ୍ତି। ତେବେ ଏଭଳି କିଛି ବିଭ୍ରାଟକୁ ୟୁପିଆଇ ବ୍ୟବସ୍ଥା ଆଣିଥିବା ସଂସ୍ଥା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଇଣ୍ଡିଆ (ଏନ୍‌ପିସିଆଇ) କିମ୍ବା ବ୍ୟାଙ୍କଗୁଡ଼ିକ ସ୍ବୀକାର କରିନାହାନ୍ତି। ଲୋକମାନଙ୍କ ଅଭିଯୋଗରୁ ଜଣାପଡ଼ିଛି ଯେ ୟୁପିଆଇ ବ୍ୟବସ୍ଥାରେ ବିଭ୍ରାଟ ଘଟିଥିଲା। କୌଣସି ୟୁପିଆଇ ଆପ୍ କାମ କରୁ ନଥିଲା। ଏହା ମଧ୍ୟ ଜଣାପଡ଼ିଛି ଯେ ବହୁ ବ୍ୟାଙ୍କର ସର୍ଭର ମଧ୍ୟ ଡାଉନ୍‌ ଥିଲା। ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଗ୍ରାହକମାନେ ‌ଅସୁବିଧା ସାମ୍ନା କରିଥିବା ଅଭିଯୋଗ କରିଛନ୍ତି। ‌ବିଶେଷ କରି ୟୁପିଆଇ କାରବାର ବେଳେ ସେମାନେ ସର୍ଭର ଡାଉନ୍ ସମସ୍ୟାର ଶିକାର ହୋଇଥିଲେ। ଡାଉନ୍‌ଡିଟେକ୍ଟର ୱେବସାଇଟ୍‌ରେ ମଧ୍ୟ ବ୍ୟାଙ୍କ ସର୍ଭର ଡାଉନ୍ ସମସ୍ୟା ବିଷୟରେ ସୂଚନା ଦିଆଯାଇଥିଲା। କିଛି ଗ୍ରାହକ ପାଣ୍ଠି ସ୍ଥାନାନ୍ତର କରିବାରେ ମଧ୍ୟ ଅସୁବିଧା ଭୋଗିଥିଲେ।