ବଢ଼ୁଛି ଏସି ବେପାର
ରାଜ୍ୟର କେତେକ ସହରରେ ତାପମାତ୍ରା ୪୦ ଡିଗ୍ରି ଛୁଇଁଲାଣି। ଏଭଳି ସ୍ଥିତିରେ ରାଜ୍ୟରେ ଏସି ବିକ୍ରି ବଢ଼ିବା ଆରମ୍ଭ ହୋଇଯାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ୨୫ରୁ ୩୦ ପ୍ରତିଶତ ଅଧିକ ଏସି(ଏୟାର କଣ୍ଡିସନର) ବିକ୍ରି ହେବ ବୋଲି ଅନୁମାନ କରାଯାଉଛି। ୨୦୨୪ରେ ପ୍ରାୟ ୨ ଲକ୍ଷ ୪୦ ହଜାର ୟୁନିଟ୍ ଏସି ବା ପ୍ରାୟ ୮୦୦ କୋଟି ଟଙ୍କାର ଏସି ବିକ୍ରି ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସହଜ ଫାଇନାନ୍ସ କାରଣରୁ ଏସି କିଣିବା ଗ୍ରାହକଙ୍କ ପାଇଁ ସୁବିଧାଜନକ ହୋଇଯାଇଛି। ରାଜ୍ୟର ଗ୍ରାହକମାନେ ଏସି କିଣିବା ସମୟରେ ଯେଉଁ କେତୋଟି ଜିନିଷକୁ ଗୁରୁତ୍ବ ଦେଉଛନ୍ତି ସେଗୁଡ଼ିକ ହେଲା ବ୍ରାଣ୍ଡ୍, ମୂଲ୍ୟ, ବୈଷୟିକ ଗୁଣାବଳୀ ଏବଂ ଷ୍ଟାର୍ ରେଟିଂ। ପୂର୍ବାପେକ୍ଷା ଗ୍ରାହକମାନେ ଏବେ ଅଧିକ ମାତ୍ରାରେ ୫ ଷ୍ଟାର୍ ଏସି କିଣୁଛନ୍ତି। ପୂର୍ବରୁ ରାଜ୍ୟ ବଜାରରେ ୮୦ ପ୍ରତିଶତ ୩ ଷ୍ଟାର୍ ଏସି ଏବଂ ୨୦ ପ୍ରତିଶତ ୫ ଷ୍ଟାର୍ ଏସି ବିକ୍ରି ହେଉଥିଲା। କିନ୍ତୁ ଏବେ ୫ ଷ୍ଟାର୍ ରେଟିଂ ଏସିର ସଂଖ୍ୟା ମୋଟ ବିକ୍ରିରେ ୪୦ରୁ ୪୫ ପ୍ରତିଶତରେ ପହଞ୍ଚି ଗଲାଣି। ୩ ଷ୍ଟାର୍ ତୁଳନାରେ ୫ ଷ୍ଟାର୍ ଏସିର ବିଜୁଳି ବିଲ୍ ଅପେକ୍ଷାକୃତ ଭାବେ ୨୫ରୁ ୩୦ ପ୍ରତିଶତ କମ୍ ରହୁଥିବା କାରଣରୁ ଗ୍ରାହକମାନେ ଏହା କିଣିବାକୁ ପସନ୍ଦ କରୁଛନ୍ତି। ଏବେ କେତେକ ସୋ’ରୁମ୍ରେ ଦିନକୁ ୨୦ରୁ ୨୫ଟି ଏସି ବିକ୍ରି ହେଉଛି। ଏପ୍ରିଲ ୧୫ରୁ ମେ ୩୦ ମଧ୍ୟରେ ଏହି ବିକ୍ରି ସର୍ବାଧିକ ରହିବ ବୋଲି କିଛି ବ୍ୟବସାୟୀ ମତ ଦେଇଛନ୍ତି।