ନାସକମ୍ ଦେଲା ଚେତାବନୀ
ବ୍ୟବସାୟ ଜଗତରେ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ବିଶେଷଜ୍ଞମାନେ ବହୁ ସଂଖ୍ୟକ ଲୋକେ ଚାକିରି ହରାଇବା ଆଶଙ୍କା ପ୍ରକାଶ କରୁଛନ୍ତି। କିନ୍ତୁ, ସବୁଠାରୁ ବଡ ବିପଦ ବିଜନେସ୍ ପ୍ରୋସେସ୍ ଆଉଟସୋର୍ସିଂ (ବିପିଓ) କ୍ଷେତ୍ର ପାଇଁ ରହିଛି। ଆଇଟି ଇଣ୍ଡଷ୍ଟ୍ରି ସଂସ୍ଥା ନାସକମର ଚେୟାରମ୍ୟାନ୍ ରାଜେଶ ନାମ୍ବିଆର ଏହି ଚିନ୍ତା ପ୍ରକଟ କରିଛନ୍ତି।ନାମ୍ବିଆର୍ ବିଶ୍ୱ ବୈଷୟିକ ଜ୍ଞାନକୌଶଳ କଗ୍ନିଓଜାଣ୍ଟର ଭାରତ ବ୍ୟବସାୟର ପରିଚାଳନା ନିର୍ଦ୍ଦେଶକ। ସେ କହିଛନ୍ତି ଭାରତୀୟ ବୈଷୟିକ ଶିଳ୍ପର ମୂଖ୍ୟ ସଫ୍ଟୱେୟାର ସେବା ଶିଳ୍ପର କର୍ମଚାରୀମାନେ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ। ତାଙ୍କର ଚାକିରି ଏବେ ମଧ୍ୟ କିଛି ପରିମାଣରେ ସୁରକ୍ଷିତ ହେବାକୁ ଯାଉଛି |
ପୁଣେରେ ଏକ ସେମିନାରରେ ନାମ୍ବିଆର କହିଛନ୍ତି , ଯେଉଁମାନେ ପ୍ରୋସେସ୍ ଶିଳ୍ପରେ କାର୍ଯ୍ୟ କରୁଛନ୍ତି, ଯାହାକି ସାଧାରଣତଃ ବିପିଓ ଭାବରେ ଜଣାଶୁଣା, ସେମାନେ ଖୁବ୍ ଶୀଘ୍ର ଛଟେଇ ହେବାକୁ ଯାଉଛନ୍ତି। ବିପିଓ ସେକ୍ଟରରେ ଏଆଇ ଇଞ୍ଜିନ ମଣିଷଙ୍କ ସ୍ଥାନ ନେବାର ଆଶଙ୍କା ଅଧିକ ରହିଛି । ସାମ୍ପ୍ରତିକ ସମୟରେ, ଚାକିରି ଉପରେ ଏଆଇର ପ୍ରଭାବକୁ ନେଇ ଚିନ୍ତା ବଢ଼ିଚାଲିଛି। ବିଶେଷକରି ୨୫୦ ବିଲିୟନ ଡଲାରର ଭାରତୀୟ ଟେକ୍ କ୍ଷେତ୍ରରେ ଏହି ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଦେଶର ଜିଡିପିରେ ଏହି କ୍ଷେତ୍ରର ଏକ ପ୍ରମୁଖ ଅଂଶ ରହିଛି।ନାମ୍ବିଆର କହିଛନ୍ତି ଜେନେରେଟିଭ୍ ଏଆଇ ହ୍ବାଇଟ କୋଲାର ଜବ୍ ଅଫିସ୍ ଚାକିରି ଉପରେ ଅଧିକ ପ୍ରଭାବ ପକାଇବ। ପ୍ରତ୍ୟେକ କମ୍ପାନୀ ଟେକ୍ନୋଲୋଜି ବ୍ୟବହାର କରି ଏହାର ଖର୍ଚ୍ଚ ହ୍ରାସ କରିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ଚାକିରି ସଂଖ୍ୟା ହ୍ରାସ କରିବା ସେମାନଙ୍କ ପାଇଁ ଏକ ବିକଳ୍ପ ହେବ।ସେ କହିଛନ୍ତି ଲାଇଟ୍ କିମ୍ବା ଏୟାର କଣ୍ଡିସନର ମରାମତି କରୁଥିବା ଟେକ୍ନିସିଆନମାନଙ୍କୁ ଏଆଇ ପ୍ରଭାବିତ କରିବ ନାହିଁ, କିନ୍ତୁ ବ୍ରୋକେଜରେ ଇକ୍ୱିଟି ଆନାଲିଷ୍ଟ କିମ୍ବା ପରିସଂଖ୍ୟାନକାରୀଙ୍କ କାର୍ଯ୍ୟ ନିଶ୍ଚିତ ଭାବରେ ପ୍ରଭାବିତ ହେବ। ଏଆଇ ସେମାନଙ୍କର କାର୍ଯ୍ୟକୁ ଆଖିପିଛୁଳାକେ କରିପାରିବ।ନାମ୍ବିଆର ଏହା ମଧ୍ୟ କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ ଏଆଇର ଦୀର୍ଘମିଆଦି ପ୍ରଭାବ ଆକଳନ କରୁନାହୁଁ। ନିକଟ ଭବିଷ୍ୟତରେ ଏଆଇ କଣ କରିବାକୁ ଯାଉଛି ଆମେ କେବଳ ସେସବୁ ଦେଖୁଛୁ। ସେ କହିଛନ୍ତି ଯେ ଆଗାମୀ ୫ରୁ ୧୦ ବର୍ଷ ମଧ୍ୟରେ ଏଆଇର ପ୍ରଭାବ କଳ୍ପନାଠାରୁ ଅଧିକ ହେବ।