ଆଇଫୋନ୍‌ ପ୍ରତି ହ୍ୟାକିଂ ବିପଦ

କିଛି ମାସ ପୂର୍ବେ ବିରୋଧୀ ଦଳର କେତେକ ନେତାଙ୍କ ଆଇଫୋନ୍ ହ୍ୟାକ୍ ଲାଗି ଉଦ୍ୟମ ହୋଇଥିବା ନେଇ ସେମାନଙ୍କୁ ପାଖକୁ ସତର୍କ ମେସେଜ୍ ଆସିଥିଲା। ସେବିଷୟରେ ସେମାନେ ଅବଗତ କରିବା ପରେ ତାହାକୁ ରାଜନୈତିକ ବୟାନ ଭାବି କେହି ଗମ୍ଭୀରତାର ସହ ନେଇନଥିଲେ। କିନ୍ତୁ ଏବେ ଦେଶରେ ନିର୍ବାଚନ ଋତୁ ଚାଲିଥିବା ବେଳେ ଆଇଫୋନ୍ ହ୍ୟାକ୍ ହେବାର ବିପଦ ରହିଛି ବୋଲି ଏହାର ନିର୍ମାତା ଆପଲ୍‌ ପକ୍ଷରୁ ‌ଗ୍ରାହକମାନଙ୍କୁ ସତର୍କ କରାଯାଇଛି।ଆଇଫୋନ୍ ବ୍ୟବହାରକାରୀମାନଙ୍କୁ ସାବଧାନ ରହିବା ଲାଗି ଆପଲ୍ କହିଛି। ଫୋନ୍‌କୁ ଆସୁଥିବା ଲିଙ୍କ୍ ପ୍ରତି ସାବଧାନ ରହିବାକୁ ପଡ଼ିବ। ‌ଲିଙ୍କ୍‌ରେ ଥିବା ଆଟାଚ୍‌ମେଣ୍ଟକୁ ଭେରିଫାଏ ନକରି ନଖୋଲିବାକୁ କମ୍ପାନି ପରାମର୍ଶ ଦେଇଛି। ଡିଭାଇସ୍‌ରେ ଲକ୍‌ଡାଉନ୍ ମୋଡ୍ ଅନ୍ ରଖିବାକୁ ମଧ୍ୟ କୁହାଯାଇଛି। ଆଇଫୋନ୍‌ର ସେଟିଂକୁ ଯାଇ ସେଥିରେ ଥିବା ‘ପ୍ରାଇଭେସି ଆଣ୍ଡ୍‌ ସିକ୍ୟୁରିଟି’ ବିକଳ୍ପ ଭିତରେ ପ୍ରବେଶ କରି ତାହାକୁ ଅନ୍ କରିହେବ। ମର୍ସେନାରି ସ୍ପାଏୱେର ହେଉଛି ପେଗାସସ୍ ସପ୍ଟୱେର ଭଳି ଏକ ଗୁଇନ୍ଦା ସ୍ପାଏୱେର। କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଆକ୍ରମଣ କରିବା ଲାଗି ତାହା ବ୍ୟବହାର କରାଯାଏ। କୌଣସି ଲୋକଙ୍କୁ ଟାର୍ଗେଟ୍ କରିବା ଲାଗି ମୋଟା ଅଙ୍କର ଅର୍ଥ ଦିଆଯାଏ। ଏଥିପାଇଁ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରାଯାଇଥାଏ। ବିଶେଷ କରି ଆର୍ଥିକ ଠକେଇ କରିବା ଲାଗି ଏହି ସ୍ପାଏୱେରକୁ ବ୍ୟବହାର କରାଯାଇଥାଏ ବୋଲି ଜଣାପଡ଼ିଛି।