ସବୁଠି ପହଞ୍ଚିବ ପାଣିପାଗ ସୂଚନା, ଲାଗିବ ରାଡାର

ଓଡ଼ିଶାରେ ପାଣିପାଗ ପୂର୍ବାନୁମାନକୁ ଆହୁରି ଅଧିକ ସୁଦୃଢ଼ କରାଯିବ। ପ୍ରତି ମୁହୂର୍ତ୍ତରେ କିଭଳି ଠିକ୍‌ ତଥ୍ୟ ସବୁ ଘରେ ପହଞ୍ଚିପାରିବ ସେଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଆଗୁଆ ପୂର୍ବାନୁମାନ ସହ ତାହାର ପ୍ରଭାବ କ’ଣ ହୋଇପାରେ ସେଦିଗରେ କାର୍ଯ୍ୟ ଚାଲିଛି। ବାତ୍ୟା, ଅତିପ୍ରବଳ ବର୍ଷା, କାଳବୈଶାଖୀ, ହିଟ୍‌ୱେଭ୍‌ ପରି ପାଣିପାଗ ସମ୍ପର୍କିତ ବିପର୍ଯ୍ୟୟ ପାଇଁ ହେଉଥିବା ପୂର୍ବାନୁମାନର ତଥ୍ୟ ସଂଗ୍ରହ ସହ ଆର୍ଟିଫି‌ସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ), ଜିଓ ସ୍ପେସାଲ ଟେକ୍ନୋଲୋଜି, ରିମୋର୍ଟ ସେନସେନିଂ ପରି ଟେକ୍ନୋଲୋଜିକୁ ବ୍ୟବହାର କରିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ସରକାର, ଶିକ୍ଷାନୁଷ୍ଠାନ, ଗଣମାଧ୍ୟମ, ସାମାଜିକ ସଙ୍ଗଠନଗୁଡ଼ିକ ସହାୟତାରେ ପାଣିପାଗ ବିବରଣୀକୁ ସବୁ ସମୟରେ ସମସ୍ତଙ୍କ ଘରେ ପହଞ୍ଚାଇବା ଦିଗରେ କାମ ଚାଲିଛି ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।