ମେଟା, ଏକ୍ସକୁ କେନ୍ଦ୍ରର ନିର୍ଦ୍ଦେଶ
ବିଭିନ୍ନ ସମୟରେ ପ୍ରତିଷ୍ଠିତ ବ୍ୟକ୍ତି ଓ ସେଲିବ୍ରିଟିମାନଙ୍କୁ ଏହି ପ୍ରଯୁକ୍ତି ଜରିଆରେ ନକଲି କରାଯାଉଛି। ଜଣଙ୍କର ଶରୀରରେ ଅନ୍ୟ ଜଣଙ୍କର ମୁହଁକୁ ଲଗାଇ ଦେଇ ସେମାନଙ୍କ ଫେଟୋ ଏବଂ ଭିଡିଓ ଅପଲୋଡ୍ କରି କେବଳ ଲୋକଙ୍କୁ ଭ୍ରମିତ କରାଯାଉନାହିଁ ସେଲିବ୍ରିଟିମାନଙ୍କୁ ମଧ୍ୟ ଅପ୍ରୀତିକର ପରିସ୍ଥିତିରେ ପକା ଯାଉଛି। ଏଭଳି ସ୍ଥିତିରେ ଏକ୍ସ (ପୂର୍ବର ଟ୍ବିଟର) ଏବଂ ମେଟା ଭଳି ସାମାଜିକ ଗଣମାଧ୍ୟମ କମ୍ପାନିଙ୍କ ପାଇଁ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ଏକ ଉପଦେଶାବଳି ଜାରି କରିଛି। ସେମାନଙ୍କ ପ୍ଲାଟଫର୍ମରୁ ଏଆଇ (କୃତ୍ରିମ ବୁଦ୍ଧିମତା) ଦ୍ବାରା ସୃଷ୍ଟ ଡିପ୍ଫେକ୍ ପୋଷ୍ଟକୁ ହଟାଇବା ପାଇଁ ଏଥିରେ କୁହାଯାଇଛି।ସୋସିଆଲ ମିଡିଆ ଇଣ୍ଟରମିଡିଆରିଗୁଡ଼ିକ ପାଇଁ ଆମେ ଏକ ନୂଆ ଉପଦେଶାବଳି ଆଣିଛୁ। ଏଥିରେ କୁହାଯାଇଛି ଯେ ଯେତେବେଳେ ତୁମେ ଏଆଇ ଉତ୍ପାଦ ପ୍ଲାଟଫର୍ମକୁ ଆଣୁଛ ସେତେବେଳେ ତୁମକୁ ଯଥେଷ୍ଟ ସତର୍କ ହେବାକୁ ହେବ। ଅର୍ଦ୍ଧ ବିକଶିତ ଉତ୍ପାଦ, ଯେଉଁଗୁଡ଼ିକ ଲୋକଙ୍କ ମଧ୍ୟରେ ଦୃଷ୍ଟିଭ୍ରମ ବା ମତିଭ୍ରମ ସୃଷ୍ଟି କରିବ କିମ୍ବା ଭୁଲ ତଥ୍ୟ ଆଧାରିତ ବିଷୟ ଯେଭଳି ପୋଷ୍ଟ ନହୁଏ ସେଥିପାଇଁ କମ୍ପାନିଗୁଡ଼ିକୁ ଯତ୍ନବାନ ହେବାକୁ କୁହାଯାଇଛି ବୋଲି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟର ସଚିବ ଏସ୍ କ୍ରିଷ୍ଣନ୍ କହିଛନ୍ତି। ଡିପ୍ଫେକ୍ ପୋଷ୍ଟ୍ କମ୍ପାନିଙ୍କର ନଜରକୁ ଆସିବା ମାତ୍ରେ ସେମାନଙ୍କୁ ଏହା ପ୍ଲାଟଫର୍ମରୁ ହଟାଇବା ଲାଗି ଏଥିରେ କୁହାଯାଇଛି। ଡିପ୍ଫେକ୍ ହେଉଛି ତଥ୍ୟର ଭୁଲ୍ ଉପସ୍ଥାପନ। ଏ ନେଇ ଆଇଟି ଆଇନ ଓ ନିୟମରେ ବ୍ୟବସ୍ଥା ରହିଛି। ଗତବର୍ଷ ଡିସେମ୍ବରରେ ମଧ୍ୟ ମନ୍ତ୍ରାଳୟ ପକ୍ଷରୁ ମେଟା, ଗୁଗୁଲ୍ ଓ ଏକ୍ସକୁ ସମାନ ପ୍ରକାରର ଉପଦେଶାବଳି ଜାରି କରାଯାଇଥିଲା।