ଦୁଇ ଚକିଆ ଇ-ଯାନର ଚାହିଦା ବଢ଼ୁଛି

ରାଜ୍ୟର ମୋଟ ଯାନ ବିକ୍ରିରେ ଦୁଇ ଚକିଆର ଅଂଶ ପ୍ରାୟ ୮୦ ପ୍ରତିଶତରୁ ଅଧିକ। କିନ୍ତୁ ପୂର୍ବରୁ କେବଳ ପେଟ୍ରୋଲରେ ଚାଲୁଥିବା ଦୁଇ ଚକିଆ ଯାନ ଲୋକମାନେ କିଣୁଥିଲେ। ସେତେବେଳେ ବଜାରରେ କୌଣସି ବିଳକ୍ପ ମଧ୍ୟ ନଥିଲା। କିନ୍ତୁ ଗତ କିଛିବର୍ଷ ହେଲା ଇଲେକ୍ଟ୍ରିକ୍‌ ଯାନର ବିକଳ୍ପ ଉପଲବ୍ଧ ହେଉଛି। ଫଳରେ ଦୁଇ ଚକିଆ ବିଦ୍ୟୁତ ଯାନର ବିକ୍ରି ରାଜ୍ୟ ତଥା ଦେଶରେ ବଢ଼ୁଛି। ମୁଖ୍ୟତଃ ପରିବେଶ ପ୍ରତି ସଚେତନ ବ୍ୟକ୍ତିମାନେ ଏହି ଯାନ କିଣିବାକୁ ଆଗଭର ହେଉଛନ୍ତି। ଅନ୍ୟପଟେ ଇନ୍ଧନ ଓ ରକ୍ଷଣାବେକ୍ଷଣ ଜନିତ ଖର୍ଚ୍ଚ କମ୍‌ ରହୁଥିବାରୁ ଗ୍ରାହକମାନେ ଏହି ଗାଡ଼ି କିଣିବାକୁ ପସନ୍ଦ କରୁଛନ୍ତି। ପେଟ୍ରୋଲ ଇଞ୍ଜିନରେ ଚାଲୁଥିବା ଦୁଇ ଚକିଆ ଯାନଗୁଡ଼ିକ ପରିବେଶ ପ୍ରଦୂଷଣ ଠାରୁ ଆରମ୍ଭ କରି ଶବ୍ଦ ପ୍ରଦୂଷଣ ଆଦି କରୁଛନ୍ତି। କିନ୍ତୁ ବ୍ୟାଟେରି ଗାଡ଼ିରେ ଏହି ପ୍ରଦୂଷଣ ପ୍ରାୟତଃ ନାହିଁ।ଏଥିସହିତ ପେଟ୍ରୋଲ ଗାଡ଼ି ତୁଳନାରେ ବ୍ୟାଟେରି ଗାଡ଼ିକରେ ଅନେକ ସୁବିଧା ରହିଛି। ରାଜ୍ୟରେ ପ୍ରାୟ ୩୦ଟି କମ୍ପାନି ଦୁଇ ଚକିଆ ବିଦ୍ୟୁତ ଯାନ ବିକ୍ରି କରୁଛନ୍ତି। ଅନେକ ନୂଆ କମ୍ପାନି ଏହି ବଜାରରେ ନିୟମିତ ବ୍ୟବଧାନରେ ସାମିଲ ହେଉଛନ୍ତି। ବଜାର ଦ୍ରୁତଗତିରେ ଆଗକୁ ବଢ଼ୁଛି। ଟିଭିଏସ୍‌ର ଆଇକ୍ୟୁବ, ବଜାଜ୍‌ ଚେତକ, ହିରୋ ଭିଡ଼ା ଠାରୁ ଆରମ୍ଭ କରି ଓଲା, ଆଥର, କାଇନେଟିକ, ଆମ୍ପିୟର, କ୍ବାଣ୍ଟମ, ଡେଲ୍ଟିକ୍‌ ଆଦି କମ୍ପାନିର ଭିନ୍ନ ଭିନ୍ନ ମଡେଲ ଗାଡ଼ି ବଜାରରେ ବିକ୍ରି ହେଉଛି। ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ଦୂରତା କିମ୍ବା ସହର ଭିତରେ ଯାତାୟତ କରୁଥିବା ବ୍ୟକ୍ତିମାନେ ଏହି ଗାଡ଼ି କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ଘରେ ପେଟ୍ରୋଲ ଗାଡ଼ି ରଖିଥିବା ଅନେକ ଗ୍ରାହକ ବିଦ୍ୟୁତ ଯାନ ମଧ୍ୟ କିଣୁଛନ୍ତି ବୋଲି ଟିଭିଏସ୍‌ ଇଭିର ଟେରିଟୋରି ସେଲ୍ସ ମ୍ୟାନେଜର ରଶ୍ମିରଂଜନ ଦାସ କୁହନ୍ତି। ରାଜ୍ୟରେ ଉକ୍ତ ବଜାର ବାର୍ଷିକ ୧୨ରୁ ୧୩ ପ୍ରତିଶତ ହାରରେ ଆଗକୁ ବଢ଼ୁଛି। ପେଟ୍ରୋଲ ଚାଳିତ ଗାଡ଼ି ତୁଳନାରେ ଏଥିରେ ଇନ୍ଧନ ଏବଂ ରକ୍ଷଣାବେକ୍ଷଣ ବାବଦ ଖର୍ଚ୍ଚ ଯଥେଷ୍ଟ କମ୍‌ ରହୁଛି। ଆଇକ୍ୟୁବର ଉଦାହରଣ ଦେଇ ସେ କୁହନ୍ତି ଯେ ଜଣେ ବ୍ୟକ୍ତି ଯଦି ସପ୍ତାହରୁ ୨୦୦ କିମି ପର୍ଯ୍ୟନ୍ତ ଗାଡ଼ି ଚଳାଇବା ସହିତ ଦୁଇ ଥର ସଂପୂର୍ଣ୍ଣ ଚାର୍ଜ କରନ୍ତି ତାହେଲେ ତାଙ୍କର ଦୈନିକ ଖର୍ଚ୍ଚ ୩ ଟଙ୍କା ରହୁଛି। ଅନ୍ୟ ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଗୋଟିଏ ଗାଡ଼ିକୁ ପୂରା ଚାର୍ଜ କରିବା ଲାଗି ଥରକରେ ଦେଢ଼ ୟୁନିଟ୍‌ ବିଜୁଳି ଖର୍ଚ୍ଚ ହେଉଛି।