ଚିପ୍ ନିର୍ମାତାଙ୍କୁ ପ୍ରୋତ୍ସାହନ
ଚିପ୍ ନିର୍ମାତାଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ଓଡ଼ିଶା ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ଓ ଫାବଲେସ୍ ନୀତି ୨୦୨୩ରେ ସଂଶୋଧନ କରିଛନ୍ତି। ସେହି ସଂଶୋଧନକୁ କ୍ୟାବିନେଟ୍ କମିଟି ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ୫୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବାକୁ ଚାହୁଥିବା ମେଗା ପ୍ରକଳ୍ପଗୁଡ଼ିକ ଏବେ ସୁଧ ରିହାତି ବାବଦରେ ୭ ବର୍ଷ ପାଇଁ ବାର୍ଷିକ ୨୫ କୋଟି ଟଙ୍କାର ସର୍ବୋଚ୍ଚ ସୀମା ସୁବିଧା ପାଇପାରିବେ। ପୂର୍ବରୁ ଏଥିପାଇଁ ଥିବା ୫ ପ୍ରତିଶତ ସର୍ବୋଚ୍ଚ ସୀମାକୁ ଉଚ୍ଛେଦ କରାଯାଇଛି। ମେଗା ପ୍ରକଳ୍ପଗୁଡ଼ିକ ୧୦ ବର୍ଷ ପାଇଁ ବାର୍ଷିକ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଗବେଷଣା ଓ ବିକାଶ ଖର୍ଚ୍ଚ ପାଇପାରିବେ। ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ)ରେ ସମସ୍ତ ୟୁନିଟ୍ ଆରମ୍ଭ ହେବାର ୭ ବର୍ଷ ମଧ୍ୟରେ କ୍ରମାଗତ ୫ ବର୍ଷ ପାଇଁ ପ୍ରୋତ୍ସାହନ ଲାଗି ଆବେଦନ କରିପାରିବେ। ମୂଳ ପରିଚାଳନା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେବା ଲାଗି ଯୋଗ୍ୟ ସଂସ୍ଥାଗୁଡ଼ିକ ୫ ବର୍ଷ ପାଇଁ ବାର୍ଷିକ ୨ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ।