ଗଗନାୟନ ଅଭିଯାନ ହେଉଛି ମାନବଯୁକ୍ତ ମହାକାଶଯାନ ଉତ୍କ୍ଷେପଣ ପାଇଁ ଇସ୍ରୋ ଯାତ୍ରାର ପ୍ରଥମ ପଦକ୍ଷେପ
କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପିଏମଓ, କାର୍ମିକ, ଜନ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଏବଂ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ , ଆଜି ସକାଳେ ଆବର୍ଟ ମିଶନ -୧ (ଟିଭି – ଡି୧) ର ପରୀକ୍ଷାମୂଳକ ଉଡ଼ାଣର ସଫଳତା ଚୂଡ଼ାନ୍ତ ‘ଗଗନାୟନ’ ଉତକ୍ଷେପଣ ପୂର୍ବରୁ କ୍ରମାଗତ ଉଡାଣ ପରୀକ୍ଷଣର ଆରମ୍ଭ କରିଛି । ସମଗ୍ର ଅଭ୍ୟାସ ଆଶାନୁରୂପ ଭାବେ ଶେଷ ହେବା ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ଗୋଟିଏ ଇଞ୍ଜିନ ରକେଟ୍ “ଗଗନାୟନ” କ୍ରୁ ମଡ୍ୟୁଲ୍ (ସିଏମ)ର ପ୍ରାରମ୍ଭିକ ଡିପ୍ରେସରାଇଜ୍ଡ ସଂସ୍କରଣକୁ ପ୍ରାୟ ୧୭ କିଲୋମିଟର ଉଚ୍ଚତାକୁ ନେଇ ଯାଇଥିଲା ଏବଂ ଏହା ପରେ ପାରାଚୁଟ୍ ବ୍ୟବହାର କରି ଚୂଡ଼ାନ୍ତ ଅବତରଣ କରିଥିଲା । ଗଗନାୟନ” ଅଭିଯାନ ମାଧ୍ୟମରେ ମାନବଯୁକ୍ତ ମହାକାଶଯାନ ଉତକ୍ଷେପଣ କରିବା ପାଇଁ ଇସ୍ରୋ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିର ଅଭ୍ୟାସ ଗଗନାୟନ ମିଶନର କ୍ରୁ ମଡ୍ୟୁଲରେ କ୍ରୁ ଏସ୍କେପ୍ ସିଷ୍ଟମର କାର୍ଯ୍ୟଦକ୍ଷତା ପରୀକ୍ଷା କରିଛି । ମୂଳତଃ ଏହା ନିରାପତ୍ତା ବ୍ୟବସ୍ଥାର ପରୀକ୍ଷଣ କରିଛି , ଯାହା ” ଗଗନାୟନ” ମିଶନର ଚାଳକ ମାନଙ୍କୁ କୌଣସି ତ୍ରୁଟି କାରଣରୁ ମିଶନ ରଦ୍ଦ ହେବା ସ୍ଥିତିରେ ମହାକାଶଯାନରୁ ନିରାପଦରେ ବାହାରି ଯିବା ପାଇଁ ଅନୁମତି ଦେବ ବୋଲି ସେ ଉଲ୍ଲେଖ କରିଛନ୍ତି ।