ଓଡ଼ିଶାରେ ୧୫୬୨ଟି ଗାଁରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ଏବେ ବି ଅପହଞ୍ଚ: ରାଜ୍ୟସଭାରେ ତଥ୍ୟ

ଭୁବନେଶ୍ୱର, ଡିସେମ୍ବର ୬: ଓଡ଼ିଶାରେ ଡିଜିଟାଲ୍ ସଂଯୋଗର ଅଗ୍ରଗତି ସତ୍ତ୍ୱେ ବହୁ ସଂଖ୍ୟକ ଗାଁରେ ଏପର୍ଯ୍ୟନ୍ତ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ପହଞ୍ଚିପାରିନାହିଁ। ରାଜ୍ୟସଭାରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ପି. ଚନ୍ଦ୍ରଶେଖର ଦେଇଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାର ୧୫୬୨ଟି ଗାଁରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ଏବେବି ଏକ ସ୍ୱପ୍ନ ହୋଇ ରହିଛି।

ଏହି ୧୫୬୨ଟି ଗାଁ ମୁଖ୍ୟତଃ ରାଜ୍ୟର ଦୁର୍ଗମ, ଆଦିବାସୀ ଅଧ୍ୟୁଷିତ ଏବଂ ପାହାଡ଼ିଆ ଅଞ୍ଚଳରେ ରହିଛି। ଯେଉଁଠାରେ ଟାୱାର୍ ସ୍ଥାପନ ଏବଂ ଭିତ୍ତିଭୂମି ବିକାଶ କରିବା ଏକ ବଡ଼ ଚ୍ୟାଲେଞ୍ଜ୍। ଡିଜିଟାଲ୍ ସେବା ଅଭାବରୁ ଏହି ଗାଁର ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସରକାରୀ ଯୋଜନାର ସୂଚନା ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ଅପହଞ୍ଚ ଅଞ୍ଚଳରେ ଶୀଘ୍ର ମୋବାଇଲ୍ ଟାୱାର୍ ସ୍ଥାପନ କରି ଡିଜିଟାଲ୍ ସେବା ଯୋଗାଇ ଦେବାକୁ ଦାବି ହେଉଛି।