୭ ଛାତ୍ରଙ୍କୁ କଲେଜ କ୍ୟାମ୍ପସ ମନା
ବ୍ରହ୍ମପୁର : ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଜୁନିୟର କଲେଜର ୭ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସପେଣ୍ଡ କରାଯାଇଛି । ଗତମାସ ଖଲ୍ଲିକୋଟ ଜୁନିୟର କଲେଜର ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା। ଦ୍ୱିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ହଇରାଣ କରୁଥିଲେ। ଏମିତିକି ସମ୍ପୃକ୍ତ ଛାତ୍ରୀଙ୍କୁ ଉକ୍ତ ଛାତ୍ରମାନେ ପିଛା କରିବା ସହ କ୍ଲାସକୁ ଯିବା ବେଳେ ବି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ। ଏନେଇ ଛାତ୍ରୀଜଣକ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଣ୍ଟି ରାଗିଂ କମିଟିର ସୁପାରିସ ଅନୁସାରେ କଲେଜ ଅଧ୍ୟକ୍ଷ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି । ଯଦି ସେମାନେ କ୍ୟାମ୍ପସକୁ ଆସନ୍ତି ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ନୋଟିସରେ ଉଲ୍ଲେଖ ରହିଛି । ଜଣେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗରେ କଲେଜ କର୍ତ୍ତୃପକ୍ଷ ୭ଜଣ ଛାତ୍ରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିଛନ୍ତି । ଅନ୍ୟପକ୍ଷରେ ରାଗିଂ କରିଥିବା ଛାତ୍ରମାନେ ଯଦି ଫର୍ମ ଫିଲ୍ ଅପ୍ କରିଛନ୍ତି ତେବେ ପରୀକ୍ଷା ଦେଇପାରିବେ ବୋଲି କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।