ସିଂହଦ୍ବାରରେ ପହଞ୍ଚିଲେ ୩ ରଥ

ଜନ୍ମବେଦିରେ ନବଦିନର ଲୀଳାଖେଳ ସାରି ଭାଇଭଉଣୀଙ୍କୁ ସାଙ୍ଗରେ ଧରି  କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡ ଠାକୁର ଶ୍ରୀମନ୍ଦିର ସିଂହଦ୍ବାରକୁ ବାହୁଡ଼ିଛନ୍ତି। ଭାବଦିଆ କାଳିଆ ଠାକୁର ବଡ଼ଦାଣ୍ଡକୁ ନିସ୍ବାର୍ଥ ଭକ୍ତିଭାବରେ ବୁଡ଼ାଇଛନ୍ତି। ପୁଣିଥରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ ହୋଇଛି। ଲକ୍ଷ ଲକ୍ଷରୁ ଶ୍ରଦ୍ଧାଳୁଙ୍କ କୋଳାହଳରେ ଭରି ଉଠିଛି ବଡ଼ଦାଣ୍ଡ। ଜୟ ଜଗନ୍ନାଥ, ହରିବୋଲ, ମଣିମା ଡାକରେ ପ୍ରକମ୍ପିତ ହୋଇଛି ଖଣ୍ଡମଣ୍ଡଳ। ବର୍ଷା-ଖରାର ଲୁଚକାଳି ଖେଳ ଭିତରେ ଡାହୁକର ବୋଲି, ଘଣ୍ଟୁଆର ଘଣ୍ଟନାଦର ତାଳେ ତାଳେ ଭକ୍ତଙ୍କ ସହ ପୁଣିଥରେ ବଡ଼ଦାଣ୍ଡରେ ଗଡ଼ିଛନ୍ତି ତିନି ରଥ।ଶ୍ରୀଗୁଣ୍ଡିଚା ଯାତ୍ରାରେ ଯାଇଥିବା ମହାବାହୁ, ସତେ ଯେପରି ଶ୍ରୀମନ୍ଦିର ଫେରିବାକୁ ବ୍ୟଗ୍ର ଥିଲେ। ଏଥିପାଇଁ ସୋମବାର ଦିନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉମାନେ ରଥାରୂଢ଼ ହୋଇଥିଲେ।। ନିର୍ଦ୍ଧାରିତ ସମୟର ଅଧ ଘଣ୍ଟା ଆଗରୁ ବି ରଥଟଣା ହୋଇଥିଲା। ଘଣ୍ଟୁଆର ଘଣ୍ଟନାଦ, ଡାହୁକର ବୋଲି, ଚକର ଘର୍ଘର ନାଦ ସହ ଭକ୍ତଙ୍କ ହରିବୋଲ ଡାକର ଦିବ୍ୟ ପରିବେଶ ଭିତରେ ବିଳିମ୍ବିତ ସନ୍ଧ୍ୟାରେ ତିନି ରଥ ସିଂହଦ୍ବାରରେ ବିରାଜମାନ କରିଛନ୍ତି। ସ୍ବର୍ଗଲୋକରୁ ୩୩ କୋଟି ଦେବତା ବି ଯେଭଳି ଏହି ଦିବ୍ୟ ଦର୍ଶନ ପାଇ ପହଣ୍ଡି ଆରମ୍ଭରୁ ବର୍ଷାଞ୍ଜଳି ଅର୍ପଣ କରିଛନ୍ତି। ଝିପିଝିପ ବର୍ଷା ଆଜି କିଛି ସମୟ ଭକ୍ତଙ୍କୁ ଭକ୍ତିର ଭାବରେ ବୁଡ଼ାଇଛି।