ମେଟ୍ରୋ ଟିଭି ଓଡିଶା (୧୯ .୨.୨୦୨୨) :
ଏଣିକି ଅପରାଧ କରି ଖସିବା ହୋଇଯିବ ମୁସ୍କିଲ। ତେଣୁ ଅପରାଧୀ ସାବଧାନ। ପ୍ରଥମ କରି ଓଡ଼ିଶା ପୋଲିସ ଡଗ୍ ସ୍କ୍ୱାଡ୍ରେ ସାମିଲ ହୋଇଛନ୍ତି ୫ଟି ବେଲଜିଆନ୍ ମାଲିନଏସ ପ୍ରଜାତିର ସନ୍ଧାନୀ କୁକୁର। ବିଶେଷ କରି ଚୋରି, ହତ୍ୟାକାଣ୍ଡ ଓ ଅନ୍ୟାନ୍ୟ ଅପରାଧକୁ ରୋକିବା ଦିଗରେ ଏମାନେ ବେଶ୍ ସହାୟକ ହେବ।

ଯେକୌଣସି ସ୍ଥାନରେ ଅପରାଧ ଘଟାଇ ଅପରାଧୀ ଖସି ପଳାଇଥିବା ବେଳେ ସେମାନଙ୍କୁ ଧରିବାରେ ଏଭଳି ସନ୍ଧାନୀ କୁକୁର ପୋଲିସକୁ ବେଶ ସହାୟତା କରିବ। ଏନେଇ ଆଶା ବାନ୍ଧିଛି ପୋଲିସ। ପ୍ରଥମ ଥର ଓଡ଼ିଶା ପୋଲିସରେ ୫ଟି ବେଲଜିଆନ୍ ମାଲିନଏସ୍ ସନ୍ଧାନୀ କୁକୁର ସାମିଲ ହୋଇଛନ୍ତି। ଆଗକୁ ଆହୁରି ୧୩ଟି ଏଭଳି ସନ୍ଧାନୀ କୁକୁରଙ୍କୁ କେ୯ ସ୍କ୍ୱାଡ୍ରେ ସାମିଲ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଆଇଜି କହିଛନ୍ତି।

ଏହି ପ୍ରଜାତିର ସନ୍ଧାନୀ କୁକୁରଙ୍କୁ ରାଜସ୍ଥାନର ସଶସ୍ତ୍ର ସୀମା ସୁରକ୍ଷା ବଳ ବା ଏସଏସବି ରେ ୯ ମାସ ତାଲିମ ପ୍ରଦାନ ପରେ କଟକ ଅଣାଯାଇଛି। ଏହି ବେଲଜିଆନ୍ ମାଲିନଏସ କୁକୁର ବିଶେଷ କରି ଚୋରି, ହତ୍ୟାକାଣ୍ଡ, ରାହାଜାନୀ,ଡକାୟତିରେ ଜଡ଼ିତ ଅପରାଧୀଙ୍କୁ ଧରିବାରେ ବେଶ୍ ସହାୟକ ହେବ ବୋଲି ଟ୍ରେନର କହିଛନ୍ତି। ତେବେ ଏହି କୁକୁରର ଘ୍ରାଣ ଶକ୍ତି ଏତେ ଅଧିକ ଯେକୌଣସି ପରିସ୍ଥିତିରେ ଅପରାଧୀମାନଙ୍କୁ ଧରିବାରେ ସକ୍ଷମ ହୋଇପାରିବ।