ଶ୍ରୀଜିଉଙ୍କ ଧାଡ଼ି ପହଣ୍ଡି ଚାଲିଛି
ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ପବିତ୍ର ରଥଯାତ୍ରା ଅବସରରେ ଆଜି ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇସାରିଛି। ଏହାରି ମଧ୍ୟରେ ଶ୍ରୀଜିଉଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଛି । ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।
ସମସ୍ତ ନୀତିକାନ୍ତିରେ ଚାଲିଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଛି ଚତୂର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି । ପ୍ରଥମ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀ ବଳଦେବଙ୍କ ପହଣ୍ଡିବିଜେ ନୀତି । ଧାଡି ପହଣ୍ଡି ନୀତିରେ ସେବାୟତ ମାନେ ପ୍ରଭୁ ଶ୍ରୀ ବଳଦେବଙ୍କୁ ରତ୍ନବେଦୀରୁ ରଥକୁ ଆଣୁଛନ୍ତି ।
ଦିବ୍ୟ ଟାହିଆ ସୁଶୋଭିତ ହୋଇଛି । ବଡ଼ଠାକୁର ଝୁଲିଝୁଲି ରଥରେ ବିରାଜମାନ ହେବାପାଇଁ ଆସିବାର ଦୃଶ୍ୟରେ ବିମୋହିତ କରିଛି । ବଳଭଦ୍ରଙ୍କ ପରେ ଶ୍ରୀନଅରରୁ ପହଣ୍ଡିରେ ବାହାରିଛନ୍ତି ମା ସୁଭଦ୍ରା । ବଡ଼ଭାଇ ବଳଭଦ୍ରଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ପହଣ୍ଡିରେ ବାହାରିଛନ୍ତି । ଶେଷରେ ରତ୍ନବେଦୀରୁ ଓହ୍ଲାଇ ଆସିବେ ଶ୍ରୀ ଶ୍ରୀ ଜଗନ୍ନାଥ ।
ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଚଳିତବର୍ଷ ପୁଲିସ ବ୍ୟବସ୍ଥାକୁ ୮ଟି ଭାଗରେ ବିଭକ୍ତ କରାଯାଇଛି। ଟ୍ରାଫିକ୍ ବ୍ୟବସ୍ଥା, ଶ୍ରୀମନ୍ଦିର ଭିତର ସୁରକ୍ଷା, କର୍ଡନ ଭିତର ସୁରକ୍ଷା, କର୍ଡନ ବାହାର ସୁରକ୍ଷା, ଗହଳି ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, କୋଷ୍ଟାଲ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍ କରାଯାଇଛି। ଏହି ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ରେ ରହି ୨୭୫ଟି ଏଆଇ କ୍ୟାମେରା ମାଧ୍ୟମରେ ଉତ୍ତରା ଛକରୁ ପୁରୀ ସହର, ପୁରୀରୁ କୋଣାର୍କ ଓ ପୁରୀ ସହରାଞ୍ଚଳର କୌଣସିଠାରେ ଟ୍ରାଫିକ୍ ଜାମ୍ ସମସ୍ୟାର ମୁକାବିଲା ପାଇଁ ନିଷ୍ପତ୍ତି ନେଇହେବ। ସେହିପରି ଆଣ୍ଟି ଡ୍ରୋନ୍ ସିଷ୍ଟମ୍, ବହୁ ସଂଖ୍ୟାରେ ଆଣ୍ଟି ସାବୋଟାଜ୍ ଟିମ୍, ଡଗ୍ ସ୍କ୍ବାଡ୍ ମୁତୟନ ରହିଛି।