ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମହିଳା କମିଶନଙ୍କ ଉଦବେଗ
ଭୁବନେଶ୍ବର: ଦୀପାଲି ବାରରେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ। ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଘଟଣାରେ ୧୫ ଜଣଙ୍କର ବୟାନ ରେକର୍ଡ ଶେଷ ହୋଇଛି। ଲକ୍ଷ୍ମୀସାଗର ଥାନା ଅନୀଲ ନାମକ ଜଣେ ଫଟୋଗ୍ରାଫରଙ୍କୁ ଜେରା କରିବାବେଳେ କିଛି ତଥ୍ୟ ପୁଲିସ ପାଇଛି। ଅଙ୍କଲ ଓରଫ୍ ଲିଟୁ ନାମକ ଜଣେ ଯୁବକ ଭୁବନେଶ୍ବରରେ ଏହି ରାକେଟ୍ର ମୁଖ୍ୟ କାର୍ପୋଟଦାର ବୋଲି ଅନିଲ ପୁଲିସକୁ କହିଛନ୍ତି। ଲିଟୁ ହିଁ ଶୁଭଲକ୍ଷ୍ମୀଙ୍କୁ ବାର୍ରେ ନିୟୋଜିତ କରିଥିଲେ। ଶୁଭଲକ୍ଷ୍ମୀଙ୍କ ସମସ୍ୟା ବିଷୟରେ ଜାଣିବା ପରେ, ଆଉ ବାର୍ରେ କାମ ନକରି ମଡେଲିଂ ବା ଅନ୍ୟକିଛି କରି ରୋଜଗାର କରିବା ପାଇଁ ଅନୀଲ ତାଙ୍କୁ ପରାମର୍ଶ ଦେଇଥିଲେ। ଶୁଭଲକ୍ଷ୍ମୀ ବି ଧୀରେ ଧୀରେ ବାର୍ରୁ ଦୂରେଇବାକୁ ଚେଷ୍ଟା କରିଥିଲେ। ସେ ବାରଗାର୍ଲ କାମ ଛାଡ଼ି ଅନ୍ୟ କିଛି ଯୋଜନା କରୁଥିବା ଜାଣିବା ପରେ ଦଲାଲ୍ମାନେ ତାଙ୍କୁ ବ୍ଲାକମେଲ କରିଥିଲେ। ସେମାନଙ୍କ ନିର୍ଯାତନା ସହିନପାରି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୀଲ କହିଛନ୍ତି। ଏଭଳି ତଥ୍ୟ ହାତେଇବା ପରେ ପୁଲିସ ଲିଟୁଙ୍କୁ ଡ଼ାକି ଜେରା କରିବାକୁ ଯୋଜନା କରିଛି। କାରଣ ଏହା ଭିତରେ ଲକ୍ଷ୍ମୀସାଗର ଥାନା ପୁଲିସ ହାତରେ ଶୁଭଲକ୍ଷ୍ମୀଙ୍କର ଗତ ଦୁଇମାସର ସିଡିଆର୍ ରିପୋର୍ଟ (ମୋବାଇଲ୍ କଲ୍ ଇତିହାସ) ତଥ୍ୟ ଲାଗିଛି। ସେଥିରେ ଏକାଧିକ ନମ୍ବର ସନ୍ଦେହ ଘେରରେ ଥିବାବେଳେ ଲିଟୁଙ୍କ କଲ୍ ମଧ୍ୟ ରହିଛି। ତେଣୁ ଲିଟୁଙ୍କୁ ପୁଲିସ ଜେରା କରିବ ବୋଲି ଜଣାପଡ଼ିଛି।