ଶକ୍ତିକାନ୍ତ ଦାସ ‘ଗଭର୍ଣ୍ଣର ଅଫ୍ ଦି ଇୟର’

ନୂଆଦିଲ୍ଲୀ :  ଶକ୍ତିକାନ୍ତ ଦାସ ଗଭର୍ଣ୍ଣର ଅଫ୍ ଦି ଇୟର । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଲଣ୍ଡନର ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି । ବିଶ୍ବ ବଜାରରେ ଅସ୍ଥିରତା ସତ୍ତ୍ବେ ଦେଶରେ ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କୋଭିଡ ମହାମାରୀ ସମୟରେ ଇଏମଆଇ ନଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ବିଶ୍ବ ଦରବାରେ ପ୍ରଶଂସିତ ହୋଇଛନ୍ତି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ । ୧୯୮୦ମସିହାରେ ଶକ୍ତିକାନ୍ତ ତାମିଲନାଡୁ କ୍ୟାଡ଼ରରୁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ତାମିଲନାଡୁ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସଚିବ ଭାବରେ କାର୍ଯ୍ୟ କରି ସେ ୨୦୧୭ ମେ ୨୮ତାରିଖରେ ସେବାନିବୃତ ହୋଇଥିଲେ । ଅବସରପରେ, ଭାରତ ସରକାର ତାଙ୍କୁ ପଞ୍ଚଦଶ ଅର୍ଥ ଆୟୋଗର ସଚିବ ଭାବରେ ନିଯୁକ୍ତି ଦେଇଥିଲେ । ସେହିପରେ ସେ ଜି-୨୦ ସମ୍ମିଳନୀରେ ଭାରତର “ସେରପା” ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଭାରତ ସରକାରଙ୍କ ବିମୁଦ୍ରୀକରଣ-୨୦୧୬ ତଥା ବସ୍ତୁ ଏବଂ ସେବା କର(ଜିଏସଟି)-୨୦୧୭ ଲାଗୁ କରେଇବାରେ ଶକ୍ତିକାନ୍ତ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।