ବିଶ୍ବ ଫଟୋଗ୍ରାଫି ଦିବସ ଅବସରରେ ୪ ଦିନିଆ ‘ଫଟୋ ପ୍ରଦର୍ଶନୀ’ ଆରମ୍ଭ

ଆଜି  ବିଶ୍ବ ଫଟୋଗ୍ରାଫି ଦିବସ । ୧୮୩୭ ମସିହାରେ ଫରାସୀ ବୈଜ୍ଞାନିକ ଲୁଇ ଡାଗେର୍‌ଙ୍କ ଦ୍ବାରା ‘ଡିଗେରୋଟାଇପ୍‌’ ନାମକ ସ୍ବତନ୍ତ୍ର ଚିତ୍ରୋତ୍ତୋଳନ ପ୍ରକ୍ରିୟା ବିକଶିତ ହୋଇଥିଲା। ୧୯୩୯ ମସିହା ଆଜିର ଦିନରେ ଉକ୍ତ ପ୍ରକ୍ରିୟାକୁ ସାର୍ବଜନୀନ କରାଯାଇଥିଲା । ସେହି ଦିବସକୁ ସ୍ମରଣ କରିବା ଲାଗି ପ୍ରତି ବର୍ଷ ଅଗଷ୍ଟ ୧୯ ତାରିଖରେ ବିଶ୍ବ ଫଟୋଗ୍ରାଫି ଦିବସ ପାଳନ କରାଯାଇ ଆସୁଛି। ଏହା ଫଟୋଗ୍ରାଫର୍‌ମାନଙ୍କୁ ବିଭିନ୍ନ କୌଶଳ, ରଚନା ଓ ଶୈଳୀ ସହ ପରୀକ୍ଷାନିରୀକ୍ଷା କରିବାକୁ ଉତ୍ସାହିତ କରିବା ସହ ଚିତ୍ରୋତ୍ତୋଳନକୁ କଳାର ଏକ ବୈଧ ରୂପ ଭାବେ ପ୍ରତିପାଦନ କରିଥାଏ।ଏହି  ଅବସରରେ ସ୍ଥାନୀୟ ଜୟଦେବ ଭବନରେ ୪ ଦିନିଆ ‘ଫଟୋ ପ୍ରଦର୍ଶନୀ’ ଆରମ୍ଭ ହୋଇଯାଇଛି। ରାଜ୍ୟସ୍ତରୀୟ ଏହି ପ୍ରଦର୍ଶନୀକୁ ମୁଖ୍ୟଅତିଥି ଭାବେ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଯାହା ୧୦୦୦ ଶବ୍ଦରେ କହିହେବ ନାହିଁ, ତାହା ଗୋଟିଏ ଫଟୋ ମାଧ୍ୟମରେ କହିହେବ। ଖବରକାଗଜରେ ଜାଗାର କମ। ଅକ୍ଷରଗୁଡ଼ିକ ବର୍ତ୍ତମାନ ଯେତିକି ବିଶ୍ବସନୀୟ ନୁହନ୍ତି, ଫଟୋଗ୍ରାଫି ତା’ଠାରୁ ଅଧିକ ବିଶ୍ବସନୀୟ ହୋଇପାରିଛି। ଅନେକ ଫଟୋଗ୍ରାଫର ବନ୍ଧୁମାନଙ୍କୁ ତୃତୀୟ ଶ୍ରେଣୀର ସାମ୍ବାଦିକ ବୋଲି ଭାବନ୍ତି। କିନ୍ତୁ ମୋ ବିଚାରରେ ସେମାନେ ପ୍ରଥମ ଶ୍ରେଣୀରୁ ଆହୁରି ଉପର ଶ୍ରେଣୀର ସାମ୍ବାଦିକ।