ବିଏସ୍କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ
ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ନବରଙ୍ଗପୁରରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଦଳର ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ସେ ନିବେଦନ କରିଛନ୍ତି। ନିଜ ଭାଷଣରେ କେନ୍ଦ୍ରମନ୍ତ୍ରୀଙ୍କୁ ଲକ୍ଷ୍ୟକରି ପାଣ୍ଡିଆନ କହିଛନ୍ତି ଯେ ତାଙ୍କର ରାଗ ହେଉଛି ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ କାହିଁକି ଏତେ ସୁବିଧା ଦେଉଛନ୍ତି। ମା’ମାନଙ୍କୁ କାହିଁକି ଏତେ ସୁବିଧା ଦେଉଛନ୍ତି। ତେଣୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ଆଦି କାର୍ଯ୍ୟକ୍ରମ ବନ୍ଦ କରିବାକୁ ସେ ଷଡ଼ଯନ୍ତ୍ର କରୁଛନ୍ତି। ମା’ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେଲେ। ମା’ମାନେ ତାଙ୍କୁ ଉଚିତ ଜବାବ ଦେବେ। କେନ୍ଦ୍ରମନ୍ତ୍ରୀ ବଡ଼ ବଡ଼ କଥା କହୁଛନ୍ତି। ୫ ବର୍ଷ ହେଲା ଶିକ୍ଷାମନ୍ତ୍ରୀ ହେଲେଣି, ଏହି ଅଞ୍ଚଳରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରିଲେ ନାହିଁ। ସେ ଚାହିଁଥିଲେ ନବରଙ୍ଗପୁରରେ ୩/୪ କେନ୍ଦ୍ରୀୟ ବିଦ୍ୟାଳୟ କରିପାରିଥାନ୍ତେ। କିନ୍ତୁ ହୋଇପାରିଲା ନାହିଁ। ଓଡ଼ିଶା ସରକାର ୫-ଟିରେ ୮ ହଜାରରୁ ଅଧିକ ହାଇସ୍କୁଲର ରୂପାନ୍ତର କରିଛନ୍ତି।ମୁଖ୍ୟମନ୍ତ୍ରୀ ଜନଜାତିଙ୍କୁ ବହୁତ ଭଲ ପାଆନ୍ତି, ସମ୍ମାନ କରନ୍ତି, ଜନଜାତି ଭାଷା ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ କେଉଁ ରାଜ୍ୟ ବି ଚିନ୍ତା କରିନାହିଁ। ଜନଜାତିଙ୍କ କଳା ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଜନଜାତି ଭାଇଙ୍କ ସୁବିଧା ପାଇଁ ୫୦ ହଜାର ଛୋଟ ଛୋଟ କେସ୍ ରଦ୍ଦ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ ଲାଭ ଯୋଜନା କରିଛନ୍ତି। ଏଥିରେ ସରକାର ଆପଣଙ୍କ ଜିନିଷ ଠିକ୍ ଦାମ ଦେଇ କିଣିନେବେ। ଆପଣଙ୍କୁ ଆଉ କେହି ଠକିପାରିବେ ନାହିଁ। ଜନଜାତି ପିଲାଙ୍କ ପାଠ ପଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ହଷ୍ଟେଲ କରିଛନ୍ତି।ଉମରକୋଟ ବିକାଶର ହିସାବ ଦେଇ ପାଣ୍ଡିଆନ କହିଛନ୍ତି, ଏଠାରେ ୨୧୨ କୋଟି ଟଙ୍କାର କାମ ଚାଲିଛି। ମା’ ପେଣ୍ଡ୍ରାଣୀ ମନ୍ଦିର କାମ ଶେଷ ହୋଇଛି।ଝରିଗାଁରେ ସେ କହିଛନ୍ତି ଯେ ମୁଁ ଯେତେବେଳ ଆସିଥିଲି, ସେତେବେଳେ ବର୍ଷା ହେଉଥିଲା। ତା’ସତ୍ତ୍ବେ ବି ଆପଣମାନେ ବହୁ ସଂଖ୍ୟାରେ ଆସି ବିକାଶ ପାଇଁ ପ୍ରସ୍ତାବ ଦେଇଥିଲେ। ସତୀଘାଟ, ମାଲଗାଁରେ ଜଳସେଚନ ପାଇଁ ଅନେକ କୋଟି ଟଙ୍କା ମଞ୍ଜୁର ହୋଇଛି। ଝରିଗାଁ ପାଇଁ ଡିଗ୍ରୀ କଲେଜ ମଞ୍ଜୁର ହୋଇଛି।