ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ପୁରୀ: ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ ।  ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । କେବଳ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଉଦଘାଟନ କରାଯାଇଛି ତାହା ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁରୀ-ହାୱାଡା ‘ବନ୍ଦେ ଭାରତ ଏକ୍ସପ୍ରେସ’ ସମେତ ପ୍ରାୟ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ପୁରୀ ଓ କଟକ ରେଳଷ୍ଟେସନର ପୁନଃବିକାଶ କାର୍ଯ୍ୟର ଶିଳାନ୍ୟାସ ସହ ଓଡ଼ିଶାରେ ରେଳ ନେଟୱର୍କର ଶତ ପ୍ରତିଶତ ବିଦ୍ୟୁତୀକରଣକୁ ଲୋକାର୍ପଣ କରିଛନ୍ତି ମୋଦି । ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ, କହିଲେ- ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କୁ ବନ୍ଦେ ଭାରତ ଉପହାର ମିଳିଲା। ଏହି ଟ୍ରେନ୍ ଚାଲିବା ଦ୍ୱାରା ପୁରୀ-କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯିବ। ଉଭୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସଂପର୍କ ଆହୁରି ଘନିଷ୍ଠ ହେବ। ଏହାଦ୍ୱାରା ସମୟ ବଞ୍ଚିବ ଓ ବ୍ୟବସାୟ ବି ବଢ଼ିବ। ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କୁ ବନ୍ଦେ ଭାରତ ଉପହାର ମିଳିଲା । ବନ୍ଦେ ଭାରତରେ ଭାରତର ଗତି ଓ ପ୍ରଗତି ପ୍ରତିଫଳିତ ହେଉଛି । ଏହି ଟ୍ରେନ ଓଡ଼ିଶା ପଶ୍ଚିମବଙ୍ଗର ଆଧ୍ୟାତ୍ମିକ, ସାଂସ୍କୃତିକ ସଂବନ୍ଧକୁ ସମୃଦ୍ଧ କରିବ ବୋଲି ଗୁରୁବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୁରୀ- କୋଲକାତା(ହାଓ୍ୱଡା) ବନ୍ଦେ ଭାରତ ଟ୍ରେନ ଏବଂ ୮ ହଜାର ୨୧୬ କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବନ୍ଦେ ଭାରତ ଏକ୍ସପ୍ରେସ ଆଧୁନିକ ଏବଂ ଆକାଂକ୍ଷୀ ଭାରତର ପ୍ରତୀକ । ଏହା ଯାତ୍ରୀଙ୍କ ପାଇଁ ଯାତ୍ରାର ଅନୁଭୂତି ସହିତ ବିକାଶର ଅର୍ଥକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବ । ଦର୍ଶନ ପାଇଁ କୋଲକାତାରୁ ପୁରୀ ଯାତ୍ରାର ସମୟ ଏବେ ମାତ୍ର ସାଢ଼େ ଛଅ ଘଣ୍ଟାକୁ ହ୍ରାସ ପାଇଛି । ଏହା ଦ୍ୱାରା ସମୟ ସଞ୍ଚୟ ସହ ବ୍ୟବସାୟିକ ସୁଯୋଗ ସୃଷ୍ଟି ହେବ ଏବଂ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦଘାଟିତ ଓ ସମର୍ପିତ ଅନୁଗୋଳ-ସୁକିନ୍ଦା ରୋଡ ମଧ୍ୟରେ ନୂଆ ଲାଇନ ମାଲ ପରିବହନକୁ ସହଜ କରିବ । ଲୋକ ଆକାଂକ୍ଷାକୁ ପୂରଣ ସହ ଶିଳ୍ପୟାନ ଓ ଅର୍ଥନୀତିକୁ ମଜଭୂତ୍ କରିବ । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର ଅଂଶ ବିଛୁପାଲି-ଝରତରଭା ନୂଆ ରେଳ ଲାଇନର ଉଦଘାଟନ ଯାତ୍ରୀ ସୁବିଧାରେ ସହାୟକ ହେବ । ଏହାବ୍ୟତିତ ପୁରୀ ଓ କଟକ ରେଳ ଷ୍ଟେସନର ପୁନଃଉନ୍ନତିକରଣର ଶିଳାନ୍ୟାସ,ସମ୍ବଲପୁର-ଟିଟିଲାଗଡ ରେଳପଥର ଦୋହରୀକରଣ, ମନୋହରପୁର-ରାଉରକେଲା-ଝାରସୁଗୁଡ଼ା- ଜାମଗା ମଧ୍ୟରେ ତୃତୀୟ ଲାଇନ ଏବଂ ଓଡ଼ିଶା ରାଜ୍ୟରେ ରେଳ ନେଟଓ୍ୱାର୍କର ଶତପ୍ରତିଶତ ବିଦ୍ୟୁତିକରଣ ଲୋକଙ୍କ ଆଶା ଆକାଂକ୍ଷାକୂ ପୂରଣ କରିବ ଓ ଦେଶର ରେଳ ଭିତ୍ତିଭୂମି ଏବଂ ଅର୍ଥନୀତି ମଜଭୂତ ହେବ ।

 

ପୁରୀ ହେଉଛି ଆଧ୍ୟାତ୍ମିକ କେନ୍ଦ୍ର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତି ଓ ଅସ୍ମିତାର ପରିଚୟ । ପୁରୀ ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନ ଏବଂ ସମର୍ପଣ ଭାବ ରହିଛି । ମହାପ୍ରଭୁଙ୍କ ଆଶୀର୍ବାଦରେ ସେ ଦେଶବାସୀଙ୍କ ସେବା କରି ଆସୁଛନ୍ତି । ପୁରୀକୁ ଅନ୍ତର୍ଜାତୀୟ ପରିଚୟ ଦେବା ପାଇଁ ମୋଦି ସରକାର ସବୁ ସହାୟତା ଦେଇଛନ୍ତି । ପୁରୀରେ ଆନ୍ତର୍ଜାତିକ ଏୟାରପୋର୍ଟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ସମ୍ମତି ଦେଇଛନ୍ତି ।

YouTube player

ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାକୁ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ମିଳିବ। ଏହା ପୁରୀରୁ ଭୁବନେଶ୍ବର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡ଼ା ଦେଇ ରାଉରକେଲା ଯାଏ ଚାଲିବ। ଏହାଫଳରେ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ। ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଆଇଟିଡିସି ଅଧ୍ୟକ୍ଷ ଡାକ୍ତର ସମ୍ବିତ ପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି।