ପଟିଆ ନାବାଳିକା ଦୁଷ୍କର୍ମ: ଗୃହମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼ କଲା କଂଗ୍ରେସ

ରାଜଧାନୀ ଭୁବନେଶ୍ୱରରେ ଅପରାଧୀଙ୍କ ଅପରାଧ ବଢ଼ିବାରେ ଲାଗିଛି । ହତ୍ୟା, ଦୁଷ୍କର୍ମ , ଲୁଟ ବଢ଼ିଚାଲିଥିବା ବେଳେ ସାଧାରଣ ଜନତା କଷ୍ଟ ପାଉଛନ୍ତି । ପ୍ରତି ଦିନ ରାଜଧାନୀରେ ଅପରାଧିକ ରାହାଜାନି ଚାଲିଛି ।  ବିଶ୍ୱକପ୍ ହକି ମ୍ୟାଚ୍ ପାଇଁ ସୁରକ୍ଷା କଡ଼ାକଡ଼ି ଥିବାବେଳେ ପଟିଆ ଅଂଚଳରେ ଦୁଇଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣାକୁ ନେଇ ଆଜି ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବିରୋଧି ଦଳମାନେ ମଧ୍ୟ ଆଇନକାନୁନ ଖରାପ ହୋଇଥିବା କହି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବିଜେପି ଆନ୍ଦୋଳନ କରିଥିବା ବେଳେ କଂଗ୍ରେସ ମଧ୍ୟ ରାସ୍ତାକୁ ଓହ୍ଲାଇ ଗୃହମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼ କରିଛି ।  ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତର ଅଭିଯୋଗ ଆଣି ଛାତ୍ର କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବାସଭବନ ଉପରେ ଅଣ୍ଡାମାଡ଼ କରାଯାଇଥିବାବେଳେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଓ ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରାଯାଇଛି । ଏହାସହିତ ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟରେ ଦିନକୁ ଦିନ ଅପରାଧିକ ଘଟଣା ବୃଦ୍ଧି ପାଉଥିବାରୁ ବୁଦ୍ଧିଜୀବୀମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।