ଦୁଇଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି 

ଅଗଷ୍ଟ ୧୯ ଓ ୨୬ ତାରିଖ ଦୁଇଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ୧୯ରେ ରକ୍ଷା ବନ୍ଧନ ପଡ଼ୁଥିବା ବେଳେ ୨୬ରେ ଜନ୍ମାଷ୍ଟମୀ ପଡ଼ୁଛି । ଏହି ଦୁଇ ଦିନ ସରକାରୀ ଛୁଟିଦିନ ଥିବାରୁ ଉକ୍ତ ଦୁଇ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିୟମିତ ଭାବେ ଅଭିଯୋଗ ଶୁଣାଣି କରୁଛନ୍ତି । ଏହା ପୂର୍ବରୁ ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ଏନେଇ ମଧ୍ୟ ସୂଚନା ଜାରି କରାଯାଇଥିଲା । ସେହିପରି ଗତ ମାସ ୨୨ ତାରିଖରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ୨୨ ତାରିଖ ଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଥିବାରୁ ଅଭିଯୋଗ ଶୁଣାଣିକୁ ବନ୍ଦ ରଖାଯାଇଥିଲା । ସୂଚନାଯୋଗ୍ୟ ଯେ, ବର୍ଷ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିଥିବା ବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜନତାଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା ସହ ତା’ର ସମାଧାନ କରୁଛନ୍ତି ।