ଝାରସୁଗୁଡାରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ: ଧର୍ମେନ୍ଦ୍ର

ଝାରସୁଗୁଡ଼ା: ଯେଉଁମାନେ ସମ୍ବଲପୁରରେ ହିଂସା  କରାଇଲେ ସେହିମାନେ ଆଜି ଚହୁଁଛନ୍ତି ଝାରସୁଗୁଡାରେ ହିଂସା କରିବା ପାଇଁ । ରାଜ୍ୟରେ ଆଇନର ଶାସନ ଚାଲିନାହିଁ । ଅରାଜକତା ଚାଲିଛି । ଝାରସୁଗୁଡାକୁ ଶ୍ରୀହୀନ କରାଇବା ପାଇଁ ଏ ଲଢେଇ ଶେଷ ପର୍ଯ୍ୟନ୍ତ ହେବ, ଓଡ଼ିଶାର ଅସ୍ମିତା ପାଇଁ ହେବ, ଓଡ଼ିଶାର ସୁରକ୍ଷା ପାଇଁ ହେବ, ଓଡ଼ିଶାର ଯୁବକ ପାଇଁ ହେବ, ଓଡ଼ିଶାର ଶିଶୁ ଏବଂ ମାଆ ପାଇଁ ହେବ ବୋଲି ବିଜେପି ପାଇଁ ନିର୍ବାଚନ ପ୍ରଚାର ବେଳେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଝାରସୁଗୁଡ଼ାରେ ଜଣେ ନାବାଳକକୁ ଅପହରଣ କରାଗଲା।  ଟଙ୍କା ପାଇଁ ହତ୍ୟା କରାଗଲା ଏଭଳି କେବେ କାନ ଶୁଣିନଥିଲା। ଏଠି କଳାପାହାଡିଆ ଶାସନ ଚାଲିଛି। ଯଦି ଝାରସୁଗୁଡାରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବ, ବିକାଶ କେମିତି ହେବ? ସାଧାରଣ ଜନତାଙ୍କୁ ସମ୍ବୋଧିକ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଏହା କହିଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ କୋଲାବିରା ଠାରେ ଆୟୋଜିତ ସଭାରେ ଶ୍ରୀ ପ୍ରଧାନ କହିଥିଲେ ଯେ ଝାରସୁଗୁଡ଼ାବାସୀଙ୍କ ବିକାଶ ପାଇଁ ଟଙ୍କଧର ତ୍ରିପାଠୀଙ୍କୁ ଭୋଟ ଦିଅନ୍ତୁ , ବିଜେପିକୁ ଭୋଟ ଦିଅନ୍ତୁ ।

ଏହା ପୂର୍ବରୁ ସେ କହିଥିଲେ ଯେ, ମୁଁ ଆଜି ଯାହା ବି ହେଇଛି ଏ ପବିତ୍ର ମାଟି ପାଇଁ। ଝାରସୁଗୁଡା ମାଟିର ଅନେକ ଅବଦାନ ରହିଛି। ଗରିବୀ ଓ ଦରିଦ୍ରତା ସତ୍ତ୍ବେ ଏମାଟି ଜନନେତା ତିଆରି କରିଛି। ସ୍ବର୍ଗତ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ନିର୍ବାଚନ ଏକ ବିଶେଷ ପରିସ୍ଥିତିରେ ହେଉଛି ।  ମୁଁ ପ୍ରାର୍ଥନା କରୁଛି କୋଉ ରାଜ୍ୟର ଭାଗ୍ୟରେ ଉପନିର୍ବାଚନ ନଆସୁ । ଦୀପାଳି ଓ ବିଶାଲ ପ୍ରତି ସହାନୁଭୂତି ରହିଛି । ଏଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ନବ ବାବୁଙ୍କ ମୃତ୍ୟୁ ଅସ୍ୱାଭାବିକ ଥିଲା । କିଏ ତାଙ୍କୁ କଣ ପାଇଁ ହତ୍ୟା କଲା ରାଜ୍ୟ ସରକାରଙ୍କୁ ଉତ୍ତର ଦେବାକୁ ପଡ଼ିବ ।