ଛତିଶଗଡ଼ର ନୂଆ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ

ଓଡ଼ିଶା ରାଜନୀତିର ପରିଚିତ ନେତା ତଥା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ର ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ମୋଦି ସରକାରଙ୍କ ସମୟରେ ସେ ଦୁଇଟି ରାଜ୍ୟର ରାଜ୍ୟପାଳ ହେବାର ସୈାଭାଗ୍ୟ ଅର୍ଜନ କରିଛନ୍ତି ।  ୨୦୧୯ ଜୁଲାଇ ୧୬ ତାରିଖରେ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ୧୯୭୧ ମସିହାରେ ସେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ। ୧୯୭୭ ମସିହାରେ ସେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା ଆଇନରେ ଗିରଫ ହୋଇ ଜେଲ ଯାଇଥିଲେ।

ଚିଲିକା ନିର୍ବାଚନମଣ୍ଡଳୀରୁ ୨ ଥର ଓ ଭୁବନେଶ୍ବର ଆସନରୁ ୩ଥର ଏହିଭଳି ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ହରିଚନ୍ଦନ ବିଭିନ୍ନ ସରକାରରେ ବରିଷ୍ଠ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି।