ଚାଷୀଙ୍କୁ କାଳ ବୈଶାଖୀ ଭୟ, ପରିବା ଦର ତାତିରେ ହାତ ମାରିହେଉନି

ଭୁବନେଶ୍ବର: ଆସୁଛି ବର୍ଷା, ପବନ । କାଳବୈଶାଖୀ ଭୟରେ ଚାଷୀ କଣ କରିବ ଭାବି ପାରୁନି । ଏହାରି ଭିତରେ ପରିବା ଦରରେ ନିଆଁ ଲାଗିଲାଣି । ପୋଟଳ, ଜହ୍ନି, ବିନିସ୍, ଭେଣ୍ଡି,କଲରା ଦର ହୁ ହୁ ହୋଇ ବଢ଼ିଚାଲିଛି । ଆଳୁୂ, ଟମାଟୋକୁ ଛାଡି ଦେଲେ ଅନ୍ୟାନ୍ୟ ପରିବା ଦର ଆକାଶ ଛୁଆଁ ବଢ଼ି ଚାଲିଛି । କିଛି ପରିବା ଦର ଶହେ ଛୁଇଁଲାଣି ତ କିଛି ପରିବା ଦର ପଚାଶ ଟଙ୍କା ଉପରେ ରହୁଛି । ଖରାଦିନିଆ ଫସଲ ବର୍ଷା ପ୍ରଭାବରେ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ବଜାରରେ କିନ୍ତୁ ପରିବା ଦର ହୁ ହୁ ହୋଇ ବଢ଼ୁଛି ।  ଓଡ଼ିଶାରେ କାଳ ବୈଶାଖୀ ଜନିତ ବାତ୍ୟାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଥିବା ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି । କାରଣ ଅଳ୍ପ ବର୍ଷା ହେଲେ ମଧ୍ୟ ପରିବା ନଷ୍ଟ ହୋଇଯିବ । କିଛି ପରିବା ଅଛି ଲଗାଣ ବର୍ଷାରେ ଧୋଇ ହୋଇଯିବ। ସେ ନେଇ ବି ଚାଷୀ ଚିନ୍ତାରେ। ଅନ୍ୟ ପଟରେ ବାହାର ଜିଲ୍ଲାରୁ ଆସୁଥିବା ପରିବା ମଧ୍ୟ ପ୍ରଭାବିତ ହେବ ।  ଏବେ କାଳ ବୈଶାଖୀ ର ବର୍ଷା ଚାଷୀଙ୍କ ରୋଜଗାର କୁ କବଳିତ କରିବାର ଆଶଙ୍କା ରହିଛି । ବର୍ଷା ଭୟରେ ଶୀଘ୍ର ଉତ୍ପାଦନ କରିବା ପାଇଁ ସମସ୍ତ ଚାଷୀ ମଧ୍ୟ ଲାଗି ପଡିଛନ୍ତି ।