ଗୋପାଳପୁର ଗଣବଳାତ୍କାର ମାମଲାରେ ରିପୋର୍ଟ ମାଗିଲେ ଏନ୍ସିଡବ୍ଲ୍ୟୁ
ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ସୋମବାର ସନ୍ଧ୍ୟାରେ ଘଟିଥିବା ଗଣଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶରେ ନିନ୍ଦା କରାଯାଉଛି । ଜଣେ ୨୦ବର୍ଷୀୟା କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ ମହିଳା କମିଶନ(ଏନ୍ସିଡବ୍ଲ୍ୟୁ)।
କମିଶନ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । ଓଡ଼ିଶା ସରକାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ୩ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏନ୍ସିଡବ୍ଲ୍ୟୁ ଅଧ୍ୟକ୍ଷା ବିଜୟା ରାହତକର ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଓ୍ବା.ବି.ଖୁରାନିଆଙ୍କୁ ଏନେଇ ଚିଠି ଲେଖିଛନ୍ତି ।
ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ତଦନ୍ତ ପ୍ରକ୍ରିୟାକୁ ତ୍ୱରିତ କରିବାକୁ କହିଛନ୍ତି। ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ସହ ମନସ୍ତାତ୍ତ୍ୱିକ ସହାୟତା ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଏଥିସହ ପୀଡ଼ିତାଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନ୍ଏସ୍ଏସ୍)ର ଧାରା ୩୯୬ ଅନୁସାରେ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି।
ଏହି ଘଟଣାରେ ଅପରାଧୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ମାନବତା ବିରୋଧରେ ଏକ ଅପରାଧ। ଏଥିରେ ସମ୍ପୃକ୍ତ କୌଣସି ଅପରାଧୀଙ୍କୁ ଛଡ଼ାଯିବ ନାହିଁ। ଆଇନ ଅନୁମୋଦିତ ସବୁଠାରୁ କଠୋର ଦଣ୍ଡବିଧାନ କରାଯିବ। ଏହି ଘଟଣାରେ ସ୍ଥାନୀୟ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି।