ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଘରକୁ ପରିବା ମାଡ଼ କଲା ଛାତ୍ର କଂଗ୍ରେସ
ଭୁବନେଶ୍ବର: ପରିବା ଦର ବୃଦ୍ଧିକୁ ବିରୋଧ କରି ବୁଧବାର ଛାତ୍ର କଂଗ୍ରେସ ପକ୍ଷରୁ ରାଜଧାନୀରେ ପ୍ରତିବାଦ କରାଯାଇଛି। ବିଗତ କିଛି ଦିନ ହେଲା ରାଜ୍ୟରେ ପନିପରିବା ଦର ଆକାଶ ଛୁଆଁ ହୋଇଛି। ଟମାଟୋ କିଲୋ ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ବିନ୍ସ ଓ କଞ୍ଚା ଲଙ୍କା କିଲୋ ପିଛା ୨୦୦ ଟଙ୍କାରୁ ଊର୍ଦ୍ଧ୍ବରେ ବିକ୍ରି ହେଉଛି। ବାଇଗଣ, କାଙ୍କଡ଼, ଭେଣ୍ଡି ଆଦି ପରିବାର ଦର ମଧ୍ୟ ପୂର୍ବ ଦର ତୁଳନାରେ ଢେର ଅଧିକ ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ ଅମୃତଭଣ୍ଡା ଓ କଖାରୁକୁ ବାଦ୍ ଦେଲେ ଅନ୍ୟ ପରିବା କିଣିବା ବେଳେ ଗ୍ରାହକଙ୍କୁ ଭାରି ବାଧୁଛି।ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଆଗରେ ଜୋରଦାର ପ୍ରତିବାଦ କରିଛନ୍ତି। ସେମାନେ ମନ୍ତ୍ରୀଙ୍କ ଘରକୁ ଟମାଟୋ ଓ ପରିବା ମାଡ଼ କରିଛନ୍ତି।