ଓଡ଼ିଶାର ରାଜନୀତିରେ କେସିଆରଙ୍କ ପାର୍ଟି ଲଢ଼ିବ ନିର୍ବାଚନ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ମଂଚରେ ଯୋଗଦେଉଛନ୍ତି ଅନେକ ନେତା ।  ଆଗାମୀ ଦିନରେ ଓଡ଼ିଶା ଉପରେ ଆଖି ପକାଇଛି ଏହି ଦଳ ।  ଓଡ଼ିଶାରେ ଚନ୍ଦ୍ରଶେଖର ରାଓ  ଲଢ଼େଇ କରିବାକୁ ଘୋଷଣା କରିଛନ୍ତି । ବିଶେଷ କରି ବିଜେଡି, ବିଜେପି, କଂଗ୍ରେସ ଭୋଟକୁ ବିଭାଜନ କରି ନିଜର ଶକ୍ତି ବୃଦ୍ଧି କରିବାକୁ ସେ ଆଶା ରଖିଛନ୍ତି ।  ଭାରତ ରାଷ୍ଟ୍ରୀୟ ସମିତି(ବିଆରଏସ) ପାର୍ଟି ଆଗାମୀ ସାଧାରଣ ନିର୍ବାଚନରେ ସମସ୍ତ ୧୪୭ଟି ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେବ । ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ଦଳ ଓଡ଼ିଶାରେ ଆନୁଷ୍ଠାନିକ ଭାବେ ତା’ର ଉପସ୍ଥିତି ଜାହିର କରିବ ବୋଲି ରଣନୀତି ପ୍ରସ୍ତୁତ କରିଥିବା କୁହାଯାଇଛି । ଆମ୍ ଆଦମୀ ପାର୍ଟି ପରେ କେସିଆରଙ୍କ ବିଆରଏସ୍ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶା ଉପରେ ଫୋକସ୍ କରିବ ବୋଲି ସଙ୍କେତ ଦେଇଥିବାରୁ ଏହାର ପ୍ରଭାବ ବିଜେଡି ଉପରେ ପଡ଼ିପାରେ । କାରଣ ବିଜେଡି ଭୋଟ ଭାଗ ହୋଇପାରେ  ।

ତେଲେଙ୍ଗାନାର ଖମ୍ମମଠାରେ ଏକ ବିଶାଳ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଥିବା କେସିଆରଙ୍କ ପାର୍ଟି ବିଆରଏସରେ ଓଡ଼ିଶାରୁ କୈଳାସ କୁମାର ମୁଖି ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।  ପିସିସି ସମ୍ପାଦକ ପଦରୁ ଗତ ଦୁଇଦିନ ତଳେ ଇସ୍ତଫା ଦେଇଛନ୍ତି  ମୁଖି । କେସିଆରଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ଜୟରାମ ପାଙ୍ଗୀ ଦୁଇ ଦିନ ତଳେ  ସାକ୍ଷାତ କରିଥିବାବେଳେ ଶ୍ରୀ ମୁଖି ପ୍ରଥମ ଓଡ଼ିଆ ଭାବେ ବିଆରଏସ୍ ପାର୍ଟିରେ ସାମିଲ ହୋଇଛନ୍ତି । ଶ୍ରୀ ମୁଖି ଓଡ଼ିଶାରେ କେସିଆରଙ୍କ ବିଆରଏସ୍ ପାର୍ଟିର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ସମସ୍ତ ୧୪୭ଟି ବିଧାନସଭା ଆସନରେ ବିଆରଏସ୍ ପାର୍ଟି ନିଜର ପ୍ରାର୍ଥୀ ଦେବ । ଆସନ୍ତା ମାସେ-ଦେଢ଼ମାସ ମଧ୍ୟରେ ବିଆରଏସ ପାର୍ଟିରେ ରାଜ୍ୟର ୧୮-୨୦ଜଣ ପୂର୍ବତନ ବିଧାୟକ ଓ ସାଂସଦ ଯୋଗ ଦେବେ । ଦଳର ସଭାପତି କେସିଆର ନିଜେ ଓଡ଼ିଶା ଗସ୍ତରେ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ବିଜେପି , ବିଜେଡି, କଂଗ୍ରେସ ଭୋଟ କାଟି ନିଜର ସ୍ଥିତି ଜାହିର କରିବାକୁ ଏହି ଦଳ ଚେଷ୍ଟା କରିବ ବୋଲି କହିଛି ।