ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ

ପ୍ରଶାସନିକ କ୍ଷେତ୍ରରେ ଡିଜିଟାଲ ପ୍ରଯୁକ୍ତିର ସଦୁପଯୋଗ କରି ନାଗରିକଙ୍କୁ ସୁଶାସନ ଯୋଗାଇ ଦେଇଥିବା କେନ୍ଦୁଝର ଜିଲ୍ଲାର ଶୁଆକାଟି ପଞ୍ଚାୟତକୁ ଚଳିତ ବର୍ଷ ଜାତୀୟ ଇ-ପ୍ରଶାସନ ପୁରସ୍କାର-୨୦୨୫ ପ୍ରଦାନ କରାଯିବ। ଆସନ୍ତା ୨୨-୨୩ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଅନୁଷ୍ଠିତ ହେବାକୁ ଥିବା ୨୮ତମ ଜାତୀୟ ଇ-ପ୍ରଶାସନ ସମ୍ମିଳନୀରେ ଶୁଆକାଟି ପଞ୍ଚାୟତକୁ ସ୍ୱତନ୍ତ୍ର ବିଚାରକ ବର୍ଗରେ ଏହି ପୁରସ୍କାର ଦିଆଯିବ । ପଞ୍ଚାୟତର ସରପଞ୍ଚ କୌତୁକ ନାଏକ ସମ୍ମିଳନୀରେ ପ୍ରମାଣପତ୍ର, ଟ୍ରଫି ଏବଂ ପୁରସ୍କାର ରାଶି ଗ୍ରହଣ କରିବେ।

ଶୁଆକାଟି ବ୍ୟତୀତ ମହାରାଷ୍ଟ୍ର, ଗୁଜରାଟ ଏବଂ ତ୍ରିପୁରାର ଗୋଟିଏ ଲେଖାଏଁ ପଞ୍ଚାୟତକୁ ମଧ୍ୟ ଜାତୀୟ ଇ-ପ୍ରଶାସନ ପୁରସ୍କାର-୨୦୨୫ ପ୍ରଦାନ କରାଯିବ । ଡିଜିଟାଲ ନବସୃଜନ କିପରି ତୃଣମୂଳ ସ୍ତରରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ପ୍ରଭାବଶାଳୀ ସେବା ବିତରଣ ସୁଦୃଢ଼ ​​କରିପାରିବ ତାହା ଏସବୁ ଗ୍ରାମପଞ୍ଚାୟତ ପ୍ରମାଣିତ କରିଛନ୍ତି । ସେବା ବିତରଣକୁ ସୁଗମ ​​କରିବା ଏବଂ ଡିଜିଟାଲ୍ ପ୍ରଶାସନରେ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ ସହିତ ମିଳିତ ଭାବରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପ୍ରଥମ ଥର ପାଇଁ ଜାତୀୟ ଇ-ପ୍ରଶାସନ ପୁରସ୍କାର ୨୦୨୫ ଅନ୍ତର୍ଗତ ଏକ ସ୍ୱତନ୍ତ୍ର ପୁରସ୍କାର ଆରମ୍ଭ କରିଛନ୍ତି ।

ଶୁଆକାଟି ପଞ୍ଚାୟତ କର୍ତ୍ତୃପକ୍ଷ ଆଧୁନିକ ପ୍ରଯୁକ୍ତି ବ୍ୟବହାର କରି ନିରନ୍ତର ପଞ୍ଚାୟତବାସୀଙ୍କ କଲ୍ୟାଣ ପାଇଁ ପ୍ରୟାସ କରି ଆସୁଛନ୍ତି । ଏହି ପଞ୍ଚାୟତ ଡିଜିଟାଲ ସେବା ବିତରଣରେ ବିପ୍ଳବ ଆଣିଛି । ଏହା କେବଳ ବୈଷୟିକ ନବସୃଜନ ନୁହେଁ ବରଂ, ଏକ ସଶକ୍ତ ଏବଂ ଆତ୍ମନିର୍ଭର ପଞ୍ଚାୟତର ସ୍ୱପ୍ନ ସାକାର କରିବାର ପ୍ରେରଣାଦାୟକ ଯାତ୍ରାରେ ଅଗ୍ରସର ହେଉଛି। ଏଠାରେ ସବୁ ନାଗରିକକୁ ଦ୍ରୁତ, ସ୍ୱଚ୍ଛ ଏବଂ ସୁଗମ ସେବା ମିଳିପାରୁଛି । ଶୁଆକାଟି ପଞ୍ଚାୟତରେ ଅନଲାଇନ ସେବା ମାଧ୍ୟମରେ ଜନ୍ମ, ମୃତ୍ୟୁ, ବାସିନ୍ଦା, ବିବାହ, ଆୟ ପ୍ରମାଣପତ୍ର, ଆଧାର କାର୍ଡ ଏବଂ ଆୟୁଷ୍ମାନ କାର୍ଡ ଗୋଟିଏ କ୍ଲିକରେ ସହଜରେ ମିଳିପାରୁଛି । ନରେଗା ପୋର୍ଟାଲରେ ଶ୍ରମିକମାନଙ୍କୁ ଜବ କାର୍ଡ ଯୋଗାଇ ଦେବାର ସୁବିଧା ଦିଆଯାଇଛି । ଇ-ଗ୍ରାମ ସ୍ୱରାଜର ନିୟମିତ ଅନୁଧ୍ୟାନ କରାଯିବା ସହିତ ଗ୍ରାମୀଣ ଆବାସ ପାଇଁ ଡିଜିଟାଲ ସର୍ଭେ କରାଯାଉଛି । ଫଳରେ ପଞ୍ଚାୟତର ପ୍ରଶାସନିକ ପରିଚାଳନା ସରଳ, ସୂଚାରୁ, ସ୍ୱଚ୍ଛ ଏବଂ ପ୍ରଭାବୀ ହୋଇପାରିଛି।

ଫେସବୁକରେ ପଞ୍ଚାୟତର ସୂଚନା ନିୟମିତ ରୂପେ ଶେୟାର କରାଯାଉଛି । ଏହା ମାଧ୍ୟମରେ ଜନସାଧାରଣଙ୍କୁ ନୂଆ ଯୋଜନା, ସେବା ଏବଂ ପଞ୍ଚାୟତର ଉପଲବ୍ଧି ସମ୍ପର୍କରେ ଅବଗତ କରାଯାଉଛି। ଶୂଆକାଟି ପଞ୍ଚାୟତରେ ଜଳ ଯୋଗାଣ ଏବଂ ସ୍ୱଚ୍ଛତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଏହାସହିତ ଏକ ପ୍ରଭାବଶାଳୀ ଅଭିଯୋଗ ସମାଧାନ ବ୍ୟବସ୍ଥା ବିକଶିତ କରାଯାଇଛି। ଓଡ଼ିଶା ଡଟ୍‌ ଜିଓଭି ଡଟ୍‌ ଇନ୍‌ ଏବଂ ୧୯୧୬ ଟୋଲ୍‌ ଫ୍ରି ନମ୍ବରରେ ନାଗରିକମାନେ ଅଭିଯୋଗ ଦାଖଲ କରୁଛନ୍ତି ଏବଂ ସେମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ କରାଯାଉଛି। ଏଠାକାର ଗ୍ରାମସଭା ଲୋକଙ୍କର ଜୀବନଶୈଳୀକୁ ବଦଳାଉଛି । ଡିଜିଟାଲ ଠକେଇରୁ ବର୍ତ୍ତିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପଞ୍ଚାୟତରେ ସାର୍ଥକ ଆଲୋଚନା କରାଯାଉଛି । ଗ୍ରାମ ସଭାର ନିଷ୍ପତ୍ତି ପ୍ରକ୍ରିୟାକୁ ପ୍ରଭାବୀ କରିବା ଲାଗି ‘ପଞ୍ଚାୟତ ନିର୍ଣ୍ଣୟ ଆପ୍‌’ ବ୍ୟବହାର କରାଯାଉଛି ଏବଂ ଏହା ଜରିଆରେ ବୈଠକ କାର୍ଯ୍ୟସୂଚୀ ପ୍ରସ୍ତୁତି ଏବଂ ସଂକଳ୍ପ ଗୃହୀତ ହେଉଛି । ପଞ୍ଚାୟତବାସୀ ମେରୀ ପଞ୍ଚାୟତ ଆପ୍‌ ଜରିଆରେ ଅଭିଯୋଗ ଦାଖଲ କରିପାରୁଛନ୍ତି । ସେମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ ଉପରେ ଗୁରୁତ୍ୱ ଦିଆଯାଉଛି । ପଞ୍ଚାୟତବାସୀଙ୍କୁ ୟୁପିଆଇ ଜରିଆରେ ଅର୍ଥପୈଠ, ବ୍ୟାଙ୍କ କାରବାର ଏବଂ ସୁରକ୍ଷିତ ଡିଜିଟାଲ ନେଣଦେଣ କରିବା ସମୟରେ ଠକାମିରୁ ବର୍ତ୍ତିବାର ଉପାୟ ବିଷୟରେ ସଚେତନ କରାଯାଉଛି ।

Leave a comment